କରୋନା ମାଡ଼ : ଖାଉଟି ସାମଗ୍ରୀ କଳାବଜାର । ଅସାଧୁ ବ୍ୟବସାୟୀ ମାଲାମାଲ । ସଂକଟରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର

କରୋନା ମାଡ଼ : ଖାଉଟି ସାମଗ୍ରୀ କଳାବଜାର । ଅସାଧୁ ବ୍ୟବସାୟୀ ମାଲାମାଲ । ସଂକଟରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର

କନକ ବ୍ୟୁରୋ : କରୋନା ଯୋଗୁଁ ଏବେ ସବୁବର୍ଗର ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏହି ମହାମାରୀ କବଳରୁ କିପରି ନିଜକୁ ଓ ନିଜ ପରିବାରକୁ ରକ୍ଷା କରାଯାଇପାରିବ, ଏବେ ସେଇ ଚିନ୍ତା ସମସ୍ତଙ୍କୁ ଘାରୁଛି। ଏଭଳି ସ୍ଥିତିରେ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଚଢ଼ା ଦର ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ବିଶେଷକରି ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ବେଶି ସଂକଟରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିର ସୁଯୋଗ ନେଇ କିଛି ଅସାଧୁ ବେପାରୀ ଜାଣିଶୁଣି ଦର ଅଧିକ କଷୁଛନ୍ତି । ହୋଲସେଲ୍‌ ମାର୍କେଟ୍‌ର ଦରଠାରୁ ୧୫ରୁ ୨୦ ଟଙ୍କା ଅଧିକ ଦରରେ ଲୋକଙ୍କୁ ବିକୁଛନ୍ତି। ବାଲିଅନ୍ତା ବ୍ଲକ‌ ଅଞ୍ଚଳରେ ମଧ୍ୟ ଏପରି କଳାବଜାର ଦେଖିବାକୁ ମିଳୁଛି। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ବ୍ଲକର ବିଭିନ୍ନ ଛକ ବଜାର ଓ ଗାଁ ଗହଳିରେ ଥିବା ତେଜରାତି ଦୋକାନୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗର କୌଣସି ପ୍ରକାର ଅଙ୍କୁଶ ରହୁନାହିଁ। ଦୋକାନରେ ରେଟ୍‌ଚାର୍ଟ ବି ଲଗାଯାଉନାହିଁ। ଫଳରେ ଅସାଧୁ ବ୍ୟବସାୟୀମାନେ ବଜାର ମୂଲ୍ୟଠାରୁ ଅଧିକ ଦରରେ ଖାଉଟି ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଶିଶୁଖାଦ୍ୟ, ଅଟା, ସୁଜି, ମଇଦା, ବେସନ, ଶୋରିଷ ତେଲ, କିରାସିନି, ଡାଲି ଓ ମଟର କେଜି ପିଛା ବଜାର ମୂଲ୍ୟଠାରୁ ଅଧିକ ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଚଢ଼ାରେ ବିକ୍ରି କରୁଥିବା ଖାଉଟିମାନେ ସୂଚନା ଦେଇଛନ୍ତି।

 ଜଣେ ଯୁବକଙ୍କ କହିବାନୁଯାୟୀ, ଅଣ୍ଡା ଟ୍ରେ’ ପିଛା ଏବେ ଅଧିକ ୩୦ଟଙ୍କା ଦେବାକୁ ପଡ଼ୁଛି। ଏହି କଳାବଜାର ବିରୋଧରେ କିଛି ଖାଉଟି ସରକଣା ଓ ବାଳକାଟି ବଜାରରେ ପ୍ରତିବାଦ କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏନେଇ ଜଣାଇବା ପର୍ଯ୍ୟନ୍ତ ବି କଥା ଯାଇଥିଲା। ହେଲେ ସ୍ଥାନୀୟ ପୁଲିସ କିନ୍ତୁ ପହଞ୍ଚି ନଥିଲା।

ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଚଢ଼ଉ କରାଯାଇ ଦରଦାମ ନିୟନ୍ତ୍ରଣ ଦିଗରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବା‌ରେ ଲାଗିଲାଣି। ଏନେଇ ବିଡିଓ ଆଦିକନ୍ଦ ବେହେରା କୁହନ୍ତି, ଖୋର୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦରଦାମ୍‌ ନିୟନ୍ତ୍ରଣ ସଂପର୍କିତ କୌଣସି ରେଟ୍‌ଚାର୍ଟ ଆସି ନଥିବାରୁ ଦୋକାନ ଆଗରେ ମରାଯାଇ ପାରୁନାହିଁ। ସେହିପରି ବ୍ଲକ ଯୋଗାଣ ଅଧିକାରୀ ଧୀରଜ କୁମାର ଭୂୟାଁ କହିଛନ୍ତି, ଦରଦାମ ନିୟନ୍ତ୍ରଣ ସଂପର୍କିତ ସବିଶେଷ କାର୍ଯ୍ୟର ଖୋଳତାଡ଼ କାର୍ଯ୍ୟ ନେଇ ଯୋଗାଣ ବିଭାଗର ଗୁଇନ୍ଦା ଅଧିକାରୀ ମାର୍କେଟିଂ ଇଣ୍ଟେଲିଜେନ୍ସ ଅଫିସର୍‌ (ଏମଆଇଓ)ଙ୍କର ସହଯୋଗ ଦରକାର। ତେବେ ଜିଲ୍ଲା ଦପ୍ତରରୁ ରେଟ୍‌ଚାର୍ଟ ଚିଠା ପ୍ରଦାନ କରାଗଲେ ‌ଦୋକାନ ସମ୍ମୁଖରେ ଲଗାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe