କନକ ବ୍ୟୁରୋ : ଗେରୁଆ ହେଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ । ବିଧାନସଭା ନିର୍ବାଚନରେ ଖାତା ଖୋଲିଲା ବିଜେପି । ଏଥର ବିଜେପି ହାତକୁ ଗଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ । ଦୀର୍ଘ ୧୦ ବର୍ଷର ବନବାସ ପରେ ଉମରକୋଟ ଫେରିଲା ବିଜେପି । ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ପ୍ରାର୍ଥୀ ସୁବାସ ଗଣ୍ଡଙ୍କୁ ହରାଇ ଗାଦି ଅକ୍ତିଆର କରିନେଇଛନ୍ତି । ୨୦୧୪ ନିର୍ବାଚନରେ ବିଫଳ ହୋଇଥିଲେ ହେଁ ଏଥର ବାଜି ମାରି ନେଇଛନ୍ତି ନିତ୍ୟାନନ୍ଦ ଗଣ୍ଡ ।
ଏଥର ମୈଦାନରେ ଥିଲେ ତିନି ମୁଖ୍ୟ ଦଳର ପ୍ରାର୍ଥୀ । ବିଜେଡ଼ିରୁ ସୁବାସ ଗଣ୍ଡ, କଂଗ୍ରେସରୁ ଯଶୋଦାରାଣୀ ଗଣ୍ଡ ଓ ବିଜେପିରୁ ନିତ୍ୟାନନ୍ଦ ଗଣ୍ଡଙ୍କ ମଧ୍ୟରେ ଘମାଘୋଟ ଲାଢ଼େଇ ଚାଲିଥିିଲା । ଗତଥର ହାରିଥିବା ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପୁଣି ପ୍ରାର୍ଥୀ କରିଥିଲା ବିଜେପି । ଆଉ ଏଥର ନିଜକୁ ପ୍ରତିପାଦିତ କରିଛନ୍ତି ନିତ୍ୟାନନ୍ଦ । ଲୋକଙ୍କ ମନ ଜିଣିବାରେ ସଫଳ ହୋଇପାରିଛନ୍ତି । ଓଳିଲାତିରୁ ରାଜନୀତିରେ ପାଦ ଥାପିଥିବା ନିତ୍ୟାନନ୍ଦ ୨୦୧୯ ନିର୍ବାଚନରେ ବାଜି ମାରିନେଇଛନ୍ତି ।
ସୂଚନାଯୋଗ୍ୟ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସୁବାସ ଗଣ୍ଡ ୫୦,୫୦୦ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ନାଥ ଗଣ୍ଡଙ୍କୁ ୧୦ ହଜାର ୫୨୨ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ସୁବାସ ଗଣ୍ଡ ।