ବିଜେପିକୁ ଭରସା ଦଳଡ଼ିଆଁ ନେତା ! ଦଶପଲ୍ଲାରୁ ପୂର୍ଣ୍ଣଚନ୍ଦ୍ର ଓ ଆସ୍କାରୁ ଦେବରାଜ ଲଢ଼ିବେ ନିର୍ବାଚନ

237

କନକ ବ୍ୟୁରୋ : ବିଜେପିକୁ ଭରସା ଦଳଡ଼ିଆଁ ନେତା । ପଦ୍ମ ଶିବିରକୁ ଡିଆଁ ମାରିଥିବା ନେତାଙ୍କୁ ମିଳିଲା ବିଜେପି ଟିକେଟ । ସଦ୍ୟ ବିଜେଡ଼ି ଛାଡ଼ିଥିବା ନେତାଙ୍କୁ ଟିକେଟ ଦେଲା ବିଜେପି । ବିଜେଡ଼ି ଟିକେଟ ଘୋଷଣା ପରେ ଦଳର ଅନେକ ନେତା ଟିକେଟ ନପାଇବାରୁ ଦଳ ଛାଡ଼ିଥିଲେ । ବିଜେଡ଼ିରେ ଅଣଦେଖା ହେଉଥିବା ଅଭିଯୋଗ କରି ଦଳ ଛାଡ଼ିଥିଲେ ଆଉ ଏବେ ବିଜେପି ଟିକେଟ ପାଇଲେ । ଚଳିତ ନିର୍ବାଚନ ପାଇଁ ନିଜ ଦଳର ନେତାଙ୍କ ଅପେକ୍ଷା ଦଳଡ଼ିଆଁ ନେତାଙ୍କ ଉପରେ ଅଧିକ ଭରସା କରିଛି ବିଜେପି । ଦଳଡ଼ିଆଁ ନେତାଙ୍କ ଉପରେ ଭରସା କରି ୧୨୦ ମିଶନକୁ ପୁରା କରିବା ପାଇଁ ଚେଷ୍ଟା କରୁଛି ଗୈରିକ ଦଳ ।

ବିଜେପି ନେତାଙ୍କ ଅପେକ୍ଷା ବିଜେଡ଼ିରୁ ଆସିଥିବା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ବିଜେପି । ଗତ ତାଲିକାରେ ପ୍ରାୟ ଡ଼ର୍ଜନେ ବିଜେଡ଼ି ଛାଡ଼ିଥିବା ନେତାଙ୍କୁ ଟିକେଟ ମିଳିଥିବା ବେଳେ ଏଥର ଆଉ ଦୁଇଜଣ ନେତାଙ୍କୁ ଦେଇଛି ଟିକେଟ । ଦଶପଲ୍ଲାରୁ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଟିକେଟ ଦେଇଛି ଗୈରିକ ଦଳ । ୨୦୧୪ ନିର୍ବାଚନରେ ଦଶପଲ୍ଲାରୁ ନିର୍ବାଚନରେ ବିଜେଡ଼ି ଟିକେଟରୁ ବିଜୟ ଲାଭ କରିଥିଲେ ପୂର୍ଣ୍ଣଚନ୍ଦ୍ର । ଗତଥର ନିର୍ବାଚନ ଜିତିଥିଲେ ମଧ୍ୟ ଚଳିତ ଥର ଟିକେଟରୁ ବଂଚିତ ହୋଇଥିଲେ । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ଭୋଟବ୍ୟାଙ୍କକୁ ହାତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ ।

ଅନ୍ୟପଟେ ଆସ୍କାରୁ ଦେବରାଜ ମହାନ୍ତିଙ୍କୁ ଟିକେଟ ଦେଲା ବିଜେପି । ୨୦୦୦, ୨୦୦୯ ଓ ୨୦୧୪ ନିର୍ବାଚନ ଜିିତିଥିଲେ ହେଁ ଚଳିତ ଥର ଦେବରାଜ ମହାନ୍ତିଙ୍କୁ ଟିକେଟ ଦେଇନଥିଲେ ବିଜେଡ଼ି ସୁପ୍ରିମୋ । ବିଜୟୀ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡ଼ି ଟିକେଟ ମିଳିନଥିଲା । ଅନ୍ୟପଟେ ଦେବରାଜଙ୍କ ପ୍ରଦର୍ଶନ ଦେଖି ବିଜେପି ଦେଇଛି ଟିକେଟ । ଦେବରାଜ ପୁଣି ଥରେ ବିଜୟ ହେବେ ଆଶା କରି ବିଜେପି ଦେଇଛି ଟିକେଟ ।