ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ! ବିଜେପିର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ‘ମହିଳାଙ୍କୁ ସୁରକ୍ଷା ମହିଳାଙ୍କୁ ସମ୍ମାନ’ କେବଳ ବିଜ୍ଞାପନରେ ସୀମିତ

144

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି ମହିଳା ମୋର୍ଚ୍ଚା ।   ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରିବାକୁ ଯାଉଛି ବିଜେପି । ଆଜି ଠାରୁ ବିଜେପି ଆରମ୍ଭ କରିବ ଲାଲଚୁଡି ସଂଗ୍ରହ ଅଭିଯାନ । ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡିତାକୁ ନ୍ୟାୟ ନମିଳିବା ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା । ବିଜେପି ଖୁବ ଶୀଘ୍ର ଆରମ୍ଭ କରିବ ଜବାବ ମାଗୁଛି ଓଡ଼ିଶା ଜବାବ ମାଗୁଛି ବେବିନା ଅଭିଯାନ ।

ଗଣଦୁଷ୍କର୍ମକାରୀଙ୍କୁ ସହଯୋଗ ନକରି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ହେଉନି, ମାତୃଶକ୍ତି ଦ୍ୱାରା ପ୍ରଦତ୍ତ ଚୁଡ଼ି ପିନ୍ଧିଦେଲେ ହୁଏତ ସାହସ ଆସିପାରିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅସମ୍ମାନ କରିଆସିଛନ୍ତି । ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ଆଜି ଅବହେଳିତ , ଅସୁରକ୍ଷିତ, ନିଷ୍ପେଷିିତ ।

ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ମହିଳାଙ୍କୁ ସୁରକ୍ଷା ମହିଳାଙ୍କୁ ସମ୍ମାନ କେବଳ ବିଜ୍ଞାପନରେ ସୀମିତ । ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ସମସ୍ତେ ଭୟଭୀତ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର ପାଳଟିଛି । ପୋଲିସ ଶାସକ ଦଳ ଚାପରେ କାମ କରୁଛି । ଖୋଦ୍ ଶାସକ ଦଳର ନେତା ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ।

ଆସନ୍ତା ୧୪ ଓ ୧୮ ତାରିଖରେ ବାଲୁକା କଳା ଦ୍ୱାରା ଜନ ଜାଗରଣ ସୃଷ୍ଟି କରିବ । ୧୫ରେ ସବୁ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ପ୍ରମୁଖ ମନ୍ଦିରରେ ପ୍ରାର୍ଥନା ସଭାର ଆୟୋଜନ କରିବାରୁ ଯାଉଛି ବିଜେପି । ସେହିପରି ୧୭ରେ ପ୍ରତିବାଦ ସଭା କରିବାକୁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଥିବା ବେଳେ ୧୮ରେ ସବୁ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।