୨୪ ଘଂଟା ଭିତରେ ବିଜେପିକୁ ଶକ୍ତ ଝଟକା ! ଗୈରିକ ଦଳ ସହ ସମ୍ପର୍କ ଛିନ୍ନ କଲେ ଦୁଇ ଟାଣୁଆ ନେତା, ପଦ୍ମ ଛାଡ଼ିଲେ ସୁବାସ ଓ ଶଙ୍ଖ ଧରିଲେ ରାଜକିଶୋର

451

କନକ ବ୍ୟୁରୋ : ରାଜ୍ୟ ବିଜେପି ପାଇଁ ସତର୍କ ଘଂଟି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପିର ଦୁଇ ବରିଷ୍ଠ ନେତା ଗୈରିକ ଦଳ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ତେବେ ନିର୍ବାଚନ ସମୟରେ ଦଳଡ଼ିଆଁ ରାଜନୀତି ଅତି ସାଧାରଣ କଥା ହେଲେ ବି ପଦ୍ମ ଶିବିରରେ ଏହାର ଗଭୀର ପ୍ରଭାବ ପଡ଼ିବ । ଗତକାଲି ମୟୁରଭଞ୍ଜର ଟାଣୁଆ ନେତା ତଥା ବିଜେପିର ଉପସଭାପତି ରାଜକିଶୋର ଦାସ ସବୁଜ ଶିବିରକୁ ଲମ୍ଫ ପ୍ରଦାନ କରିଛନ୍ତି । ଅନ୍ୟପଟେ ଆଜି ବିଜେପି ଛାଡ଼ିଛନ୍ତି ବରଗଡ଼ର ବରିଷ୍ଠ ବିଜେପି ନେତା ସୁବାସ ଚୌହାନ୍ । ଦୁଇ ଟାଣୁଆ ନେତାଙ୍କୁ ହରାଇଛି ରାଜ୍ୟ ବିଜେପି । ସଫଳ ହୋଇପାରିବ ତ ମୋଦିଙ୍କ ୧୨୦ ମିଶନ୍ ?

ପଦ୍ମ ଦଳ ସହ ସମ୍ପର୍କ ଛିନ୍ନ କଲେ ଦୁଇ ବିଜେପି ହେଭିୱେଟ ନେତା । ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଆଜି ଦଳ ଛାଡ଼ିଛନ୍ତି ସୁବାସ ଚୌହାନ୍ । ଦଳ ଛାଡ଼ିବାବେଳେ କାନ୍ଦି ପକାଇଲେ ସୁବାସ  । ସୁବାସ ଇସ୍ତଫା ଦେଇ ଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଦୁର୍ଭାଗ୍ୟର ବିଷୟ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ସହିତ ଆପଣ ମିଶି ମୋର ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୁଲ୍ୟ ବୁଝିବ ବଦଳରେ ଅଣଦେଖା କଲେ । ମୋତେ ଦଳରୁ ବାହାରିବା ପାଇଁ ସବୁପ୍ରକାର ଷଡ଼ଯନ୍ତ୍ର କଲେ । ଶେଷର ଷଡ଼ଯନ୍ତ୍ର କରି ମୋର ଟିକେଟ୍ ମଧ୍ୟ କାଟି ଅନ୍ୟ ନେତାଙ୍କୁ ଟିକେଟ ଦେଲେ ଓ ଅପମାନିତ କଲେ ।

ସେପଟେ ଗତକାଲି ବିଜେଡ଼ିରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ମୟୂରଭଞ୍ଜ ରାଜନୀତିରେ ବିଜେପିର ଜଣେ ବଡ ଚେହେରା ଥିଲେ ରାଜକିଶୋର । ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ବେଳେ ରାଜଶେଖରଙ୍କୁ ଦଳ ପକ୍ଷରୁ ସେଭଳି କୌଣସି ସଂକେତ ମିଳିନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ବିଜେପିକୁ ବାଏ ବାଏ କରିଥିଲେ ରାଜକିଶୋର ।

ଦୁଇ ଟାଣୁଆ ନେତାଙ୍କୁ ହରାଇ ବିଜେପିର ଆଗାମୀ ରଣନୀତି କ’ଣ ରହିବ ? ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଏବେ କେଉଁ ଆଭିମୁଖ୍ୟ ଆପଣାଇବ ବିଜେପି, ତା’ଉପରେ ସମସ୍ତଙ୍କ ନଜର । ନିର୍ବାଚନ ସମୟରେ ଦଳଡ଼ିଆଁ କଥା ସାଧାରଣ ହେଲେ ମଧ୍ୟ ବର୍ତ୍ତମାନର ରାଜନୈତିକ ପାଣିପାଗ ଦୃଷ୍ଟିରୁ ବେଶ କ୍ଷତିଗ୍ରସ୍ତ ହେବ ବିଜେପି ।