ଜେପି ନଡ୍ଡାଙ୍କ ହାତରେ ବିଜେପିର କମାଣ : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ , ଏକମାତ୍ର ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ

178

କନକ ବ୍ୟୁରୋ : ଅମିତ୍ ଶାହାଙ୍କ ଯୁଗ ଶେଷ ।  ବିଜେପିକୁ ମିଳିଲା ନୂଆ ସଭାପତି । ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା । ନିର୍ବିବାଦୀୟ ଭାବେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଚୟନ କରିବା ପାଇଁ ଅମିତ୍ ଶାହା, ରାଜନାଥ ସିଂହ, ନୀତିନ ଗଡକରୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ସେମାନଙ୍କ ସମର୍ଥନ ଜଣାଇଥିଲେ ।ଏହା ସହିତ ଦେଶର ସବୁଠୁ ବଡ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିରେ ଆରମ୍ଭ ହୋଇଛି ଜେପି ନଡ୍ଡା ଯୁଗ ।

ସାଢେ ୫ ବର୍ଷରୁ ଅଧିକ କାର୍ଯ୍ୟକାଳ ଚାଲିଥିବା ଶାହା ଯୁଗର ଅବସାନ ହୋଇଛି । ଦଳ ମଧ୍ୟରେ ଜଣେ ମିଷ୍ଟଭାଷୀ ଓ ନରମ ସ୍ୱଭାବର ନେତା ରୂପେ ଜଗତ ପ୍ରସାଦ ନଡ୍ଡା ଦଳ ମଧ୍ୟରେ ସମସ୍ତଙ୍କର ପ୍ରିୟ ଥିଲେ । ହିମାଚଳ ପ୍ରଦେଶର ବାସିନ୍ଦା ଥିବା ୫୯ ବର୍ଷ ବୟସ୍କ ଜଗତ ପ୍ରସାଦ ନଡ୍ଡା ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ଆକୃଷ୍ଟ ରହିବା ସହ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ ସଂଗଠକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।  ପରେ ସେ ବିଜେପିରେ ଯୋଗ ଦେବା ସହ ସକ୍ରିୟ ରାଜନୀତିକୁ ଆସିଥିଲେ। ବିଜେପିରେ ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ନିର୍ବାଚନ କାଳରେ ଦଳ ପାଇଁ ନୀତି ନିର୍ଦ୍ଧାରଣ କରିବା ସହ ଦଳକୁ ସଫଳତା ଦେବାରେ ବେଶ ମାହିର ଥିଲେ ଜଗତ ପ୍ରସାଦ ନଡ୍ଡା। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ସେ ତାଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ତେବେ ଶାହାଙ୍କ ଅମଳରେ ଦେଶରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଆଗାମୀ ଦିନରେ କିଭଳି ପ୍ରଦର୍ଶନ କରୁଛି ତାହା ନଡ୍ଡାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ବିଶେଷ କରି ଆଗକୁ ହେବାକୁ ଥିବା ପଶ୍ଚିମବଙ୍ଗ, ବିହାର ନିର୍ବାଚନ ନଡ୍ଡାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।