କନକ ବ୍ୟୁରୋ : ହିଂସାର ଗଡ଼ରେ ପରିଣତ ହୋଇଛି ପଶ୍ଚିମବଙ୍ଗ । ପ୍ରତିଦିନ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଦେଖିବା ପାଇଁ ମିଳୁଛି । ରାଜନୈତିକ ଶତ୍ରୁତାରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି । ବିଜେପିର ଅନେକ କର୍ମୀଙ୍କ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମବଙ୍ଗରେ କଳା ଦିବସ ପାଳୁଛି ବିଜେପି । କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ବିଜେପି କର୍ମୀ ।

Advertisment

କର୍ମୀ ହତ୍ୟା ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିର ଅଧୋଃପତ୍ତନ ହୋଇଥିବା କହି ପଶ୍ଚିମବଙ୍ଗରେ ବିଜେପି କଳା ଦିବସ ପାଳନ କରୁଛି । ବିଜେପି ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବସିରହାଟ ସବଡିଭିଜନରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । କଳା ବ୍ୟାଚଧାରୀ ବିଜେପି କର୍ମୀମାନେ ରାଜ୍ୟର ଅନେକ ଅଞ୍ଚଳରେ ରାଲିରେ ପରିକ୍ରମା କରୁଛନ୍ତି । ଶନିବାର ଦିନ ବସିରହାଟ ଅଞ୍ଚଳରେ ବିଜେପି ଓ ଟିଏମସି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା କାରଣରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କର୍ମୀମାନଙ୍କ ହତ୍ୟାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ପିଜେପି ସବଡିଭିଜନରେ ପ୍ରତିବାଦ ଯାତ୍ରା ବାହାର କରିଛି । ଅନେକ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତା ଓ ରେଳ ଧାରଣା ଉପରେ ବସି ରହିଥିବାରୁ ଯାନବାହନ ଓ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।

ରାଜ୍ୟରେ ହିଂସାକାଣ୍ଡ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଆଡଭାଇଜରି ପଠାଇଛି । ଏହାର ଉତ୍ତର ଦେଇ ପଶ୍ଚିମବଙ୍ଗ ସରକାର ଲେଖିଛନ୍ତି ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଆଇନ୍ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ତରଫରୁ କୌଣସି ଅସଫଳତା ଦେଖାଯାଇ ନାହିଁ ।