ନିର୍ବାଚନୀ ଋତୁରେ ଚାଲିଛି ପ୍ରଚାର ପ୍ରତିଯୋଗିତା : ଟେଲିଭିଜନରେ ପ୍ରଚାର ପ୍ରସାରରେ ସାରା ଦେଶରେ ଏକ ନମ୍ବର ବିଜେପି

ପ୍ରଥମ ୧୦ରେ ନାହିଁ କଂଗ୍ରେସ

143

କନକ ବ୍ୟୁରୋ : ଟେଲିଭିଜନ ବିଜ୍ଞାପନ ଦେବାରେ ଏବେ ବିଜେପି ନମ୍ବର ୱାନ । ସାଧାରଣ ନିର୍ବାଚନକୁ ଅଳ୍ପ କିଛି ମାସ ଥିବା ବେଳେ ୫ଟି ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ଟିଭି ବିଜ୍ଞାପନ ଜରିଆରେ ସରକାରୀ ଯୋଜନାର ପ୍ରଚାର ପ୍ରସାର ଜୋରଦାର କରିଛନ୍ତି ମୋଦି ସରକାର । ବ୍ରଡକାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ-ବାର୍କ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତ ନଭେମ୍ବର ୧୦ରୁ ୧୬ତାରିଖ ମଧ୍ୟରେ ବିମଳ ପାନ ମସଲାକୁ ପଛକୁ ଠେଲି ବିଜେପି ପ୍ରଥମ ସ୍ଥାନ ଦଖଲ କରିଛି ।

ବିଜେପି ପଛକୁ ନେଟଫ୍ଲିକ୍ସ ଓ ଟ୍ରିଭାଗୋ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସବୁ ଚାନେଲରେ ବିଜେପି ୧ ନମ୍ବର ସ୍ଥାନରେ ରହିଛି । ନଭେମ୍ବର ୧୦ରୁ ୧୬ ତାରିଖର ପୂର୍ବ ସପ୍ତାହରେ ଏହି ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା । ଏପରିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ବି ନାହିଁ ।

୫ଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଏବେ ବିଧାନସଭା ନିର୍ବାଚନ ହେଉଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଛି । ଏହି ନିର୍ବାଚନ ଫଳାଫଳର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବା ସମ୍ଭାବନା ରହିଛି । ତେବେ ବିଜେପି ମିଡିଆ ସେଲ୍ ମୁଖ୍ୟ ଅନିଲ ବାଲୁନିଙ୍କ ସହ ଟେଲିଫୋନରେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସାଧାରଣ ନିର୍ବାଚନ ବେଳକୁ ରାଜନୈତିକ ଦଳ ଗୁଡ଼ିକର ବିଜ୍ଞାପନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।