ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା ! ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର. ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

307

କନକ ବ୍ୟୁରୋ : ଖୋର୍ଦ୍ଧାରେ ପ୍ରବଳ ଉତ୍ତେଜନା । ଖୋର୍ଦ୍ଧା ୯ନମ୍ବର ଜୋନ୍ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ହତ୍ୟା ପ୍ରତିବାଦରେ ଖୋର୍ଦ୍ଧାରେ ବନ୍ଦ ଡାକରା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ପଛରେ କିଏ ଏବଂ କାରଣ କ’ଣ ତାହା ଜଣାପଡ଼ିନାହିଁ ।

ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ ନବୀନାବାଗଠାରେ ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ମଙ୍ଗୁଳି ଜେନାଙ୍କ ଘର ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ପଞ୍ଚାୟତ ଅଞ୍ଚଳରେ । ରାତି ପ୍ରାୟ ୧୨ଟାରେ ମଙ୍ଗୁଳି କିଛି ଦଳୀୟ କର୍ମକର୍ତ୍ତାଙ୍କ ସହ ବସି ଆଲୋଚନା କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର୍ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ କର୍ମକର୍ତ୍ତାମାନେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।