ପଦାରେ ପଡିଲା ବିଜେପି କନ୍ଦଳ : କଟକରେ ସଭ୍ୟ ସଂଗ୍ରହ ଅଭିଯାନ ବେଳେ ହାତାହାତି ହେଲେ ଦୁଇ ଗୋଷ୍ଠୀ, ଆକ୍ରୋଶରୁ ବାଦ୍ ପଡିଲେନି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର

225

କନକ ବ୍ୟୁରୋ : ପଦାରେ ପଡିଲା ବିଜେପି କନ୍ଦଳ । କଟକରେ ଦଳର ସଦସ୍ୟତା ଗ୍ରହଣ ଅଭିଯାନ ବେଳେ ଦୁଇଗୋଷ୍ଠୀ ହାତାହାତି ହୋଇଛନ୍ତି । ରବିବାର ଅପରାହ୍ନରେ ସିଏମସି ଟାଉନ ହଲରେ ବିଜେପିର ସଦସ୍ୟତା ଅଭିଯାନ ବୈଠକ ଚାଲିଥିଲା । ତେବେ ବୈଠକ ଆରମ୍ଭରୁ ଗତ ନିର୍ବାଚନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା । କୁହାଯାଉଛି ଏହି ଅସନ୍ତୋଷରୁ ବର୍ତ୍ତି ନାହାନ୍ତି ବିଜେପିର କଟକ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର । ବୈଠକ ଆରମ୍ଭରୁ ଗୋଟିଏ ଗୋଷ୍ଠୀର କର୍ମାମାନେ ଆସି ହୋହଲ୍ଲା କରିଥିଲେ ।

ଅପର ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ପରିସ୍ଥିତି ସାଂଘାତିକ ରୂପ ନେଇଥିଲା । ଏହି ସମୟରେ ରାଜ୍ୟ ଉପସଭପତି ନୟନ ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ ଏବଂ ସଦସ୍ୟତା ଅଭିଯାନର ରାଜ୍ୟ ସାଂଗଠନିକ ସହପ୍ରଭାରୀ ସାରଦା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । କୁହାଯାଉଛି ଗଣ୍ଡଗୋଳ ସମୟରେ ନୟନ ମହାନ୍ତି ଓ ସମୀର ଦେ ଟାଉନହଲ ବାହାରେ ଉପସ୍ଥିତ ଥିଲେ । ଏବଂ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ସଭା ପୂର୍ବରୁ ଚାଲିଯାଇଥିଲେ । ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ପହଂଚି ନିୟନ୍ତ୍ରଣ କରିଥିଲା । ଆଉ ସେହିଠାରୁ ବନ୍ଦ ହୋଇଥିଲା କଟକ ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ ।

ଏହି ଘଟଣା ପାଇଁ କେନ୍ଦ୍ର ବିଜେପିର ଏକ ଟାଣୁଆ ଗୋଷ୍ଠୀକୁ ସିଧାସଳଖ ଦାୟୀ କରିଛନ୍ତି ସଦସ୍ୟତା ଅଭିଯାନ ପ୍ରମୁଖ ଲଲାଟେନ୍ଦୁ ବଡୁ। ସେ କହିଛନ୍ତି, ଆଗରୁ ଦଳୀୟ ସଦସ୍ୟତା ଅଭିଯାନ ବୈଠକରେ ମାତ୍ର ୩୦/୪୦ ଲୋକ ହେଉଥିଲେ । ହେଲେ ଗତକାଲି ବୈଠକରେ ଚାରି ଶହରୁ ଅଧିକ କର୍ମୀ ଆସିଥିଲେ । ଏଥିରେ ବହୁ ନୂ୍ଆ ମୁହଁ ଥିଲେ । ଏତେ ସଂଖ୍ୟକ କର୍ମୀଙ୍କ ଯୋଗଦାନକୁ ଦଳର ଏକ ବଡଗୋଷ୍ଠୀ ସହ୍ୟ କରିପାରି ନଥିବା ଅଭିଯୋଗ କରିଛନ୍ତି ଲଲାଟେନ୍ଦୁ । ଗଣ୍ଡଗୋଳର ଭିଡିଓ କ୍ଲିପିଂ ସେ ହାଇକମାଣ୍ଡଙ୍କୁ ଦେଇଥିବା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ବରିଷ୍ଠ ନେତା ସମୀର ଦେ ମଧ୍ୟ ଏ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ।