ମାର୍ଚ୍ଚ ୧୬ରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି ! କଟିପାରେ ୮୦ରୁ ୯୦ ସାଂସଦଙ୍କ ଟିକେଟ୍

118

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନି । ମାର୍ଚ୍ଚ ୧୬ ତାରିଖରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବୋଲି କୁହାଯାଉଛି । ପାଖାପାଖି ୮୦ରୁ ୯୦ ସାଂସଦଙ୍କ ଟିକେଟ କଟିବ ବୋଲି ସୂଚନା ମିଳିଛି ।

ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ଘୋଷଣା କରିଥିଲେ । ନିର୍ବାଚନର ତାରିଖ ଘୋଷଣା ସହ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ କେଉଁ କେଉଁ ନିୟମର ପାଳନ କରିବାକୁ ହେବ, ତାହା ସ୍ପଷ୍ଟ କରିଥିଲେ ନିର୍ବାଚନ କମିସନର ।

ମାର୍ଚ୍ଚ ୧୬ରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍‌ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବାକୁ ଯାଉଛି ବିଜେପି । ଏ ନେଇ ଦଳ ମଧ୍ୟରେ ଜୋର୍‌ଦାର ଆଲୋଚନା ଚାଲୁ ରହିଥିବା ବେଳେ ୮୦-୯୦ ସାଂସଦଙ୍କ ଟିକେଟ କଟିପାରେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ଜଣା ପଡ଼ିଛି ।

ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୧୬ରେ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ହେବାର ଅଛି । ଏହା ପରେ ମାର୍ଚ୍ଚ ୧୮ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଡ଼କାଇଛନ୍ତି । ଆଶା କରାଯାଉଛି କି ପ୍ରାର୍ଥୀମାନଙ୍କ ଚୟନକୁ ନେଇ ଏହି ବୈଠକରେ ଘୋଷଣା କରାଯିବ ।