ପାଟକୁରା ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ : ମନ୍ଦିରରେ ଦୀପଦାନ କରି ପ୍ରଚାର ଆରମ୍ଭ କଲା ବିଜେପି

253

କନକ ବ୍ୟୁରୋ : ପାଟକୁରା ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ତାରିଖ ଘୋଷଣା ପରେ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମୁହାଁମୁହିଁ ଲଢ଼େଇ ପାଇଁ ପ୍ରାର୍ଥୀ ପ୍ରସ୍ତୁତ, ଭୋଟର ବି ପ୍ରସ୍ତୁତ । ଭୋଟରଙ୍କ ମନ ଜିଣିବା ପାଇଁ ତିନି ଦଳ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି । ପ୍ରାର୍ଥୀଙ୍କ ମନରେ ଯେତିକି ଉତ୍ସାହ ଭୋଟରଙ୍କ ମଧ୍ୟରେ ବି ସମାନ ଉତ୍କଣ୍ଠା ଦେଖିବାକୁ ମିଳିଛି । ଜନ୍ତାଙ୍କ ଉତ୍କଣ୍ଠା ଭିତରେ ପାଟକୁରା ବିଜୟ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ମା’ଲକ୍ଷ୍ମୀଙ୍କ ଶରଣ ନେଇ ବିଜେପିର ବିଜୟ ଅଭିଯାନ ଆରମ୍ଭ ହୋଇଛି ।

ଗୋଟିଏ ପଟେ ପାଟକୁରା ନିର୍ବାଚନ, ଅନ୍ୟପଟେ ବିଜେପି-ବିଜେଡ଼ିର ନୂଆ ସମୀକରଣ ଯୋଗୁଁ ରାଜ୍ୟ ରାଜନୀତି ଉଷ୍ମ । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପରେ ଉଭୟ ଦଳ ମଧ୍ୟରେ କମୁଥିବା ଦୂରତାକୁ ଦେଖି କଂଗ୍ରେସ ଛିଗୁଲେଇ ହେଉଛି । ବିଜୟ ମହାପାତ୍ରଙ୍କୁ ବିଜୟ ଦେବାପାଇଁ ଗେରୁଆ ଦଳ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦେଇଛି । ବିଜେଡ଼ି ମଧ୍ୟ ସମ୍ମାନ ରକ୍ଷା କରିବା ପାଇଁ ଲାଗିପଡ଼ିଛି । ବିଜୟଙ୍କ ପାଇଁ ବିଜେପି ନେତାମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି । ବିଜୟ ମହାମାତ୍ରଙ୍କ ଅଭିଜ୍ଞତାକୁ ପାଥେୟ କରି ବିଜେପି ଗଡ଼ ଜିତିବା ପାଇଁ ଚେଷ୍ଟା କରୁଛି । ତେବେ ରାଜ୍ୟରେ ବିଜେପି ଓ ବିଜେଡ଼ିର ନୂଆ ସମୀକରଣ ପରେ ଲଢ଼େଇ କିପରି ହେବ, ତା’ଉପରେ ସମସ୍ତଙ୍କ ନଜର ।

ପାଟକୁରା ରଣଭୂମିରେ ଯୁଦ୍ଧ କିପରି ହେବ, ତାହା ତ ସମୟ କହିବ । ହେଲେ ପଦ୍ମ ଦଳ ଆରମ୍ଭ କରିଦେଇଛି ପ୍ରଚାର ଅଭିଯାନ । ଲୋକଙ୍କ ନିକଟତର ହେବାପାଇଁ ତଥା ବିଜୟ ମହାପାତ୍ରଙ୍କୁ ଗଡ଼ ଅକ୍ତିଆର କରିବାରେ ସାହାଯ୍ୟ କରିବା ପାଇଁ ବିଜେପି ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି । ମା’ଲକ୍ଷ୍ମୀଙ୍କ ମନ୍ଦିରରେ ଦୀପଦାନ କରି ବିଜେପି ଗଡ଼ ଅକ୍ତିଆର କରିବା ଦିଗରେ ଉଦ୍ୟତ ହେଉଛି । ନୂଆ ସମୀକରଣଙ୍କୁ ପଛରେ ପକାଇ ପାଟକୁରା ହାସଲ କରିପାରିବ କି ବିଜେପି ? ସମବେତ ଜନତାଙ୍କ ଗହଣରେ ଲକ୍ଷ୍ମୀଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ବିଜେପିର ଦୀପଦାନ ଉତ୍ସବ । ବିଜେପିର ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ଗାଁ ଗଣ୍ଡାର ଅନେକ ଲୋକ । ବର୍ଷା ସତ୍ୱେ ସୁରୁଖୁରୁରୁରେ ଅନୁଷ୍ଠିତ ହୋଇଛି ବିଜେପିର ପ୍ରଚାର ଅଭିଯାନ ।

ବିଜେପିର ପ୍ରଚାର ଅଭିଯାନରେ ବିଜୟ ମହାପାତ୍ରଙ୍କ ସହ ଦୁଇ ବିଜେପିର ବରିଷ୍ଠ ନେତାନେତ୍ରୀମାନେ ସାମିଲ ହୋଇଥିଲେ । ରଥଯାତ୍ରା ଦିନ ପାଟକୁରା ବିଗୁଲ ବାଜିଛି । ବାହୁଡ଼ା ସୁନାବେଶ ବେଳକୁ ନିର୍ବାଚନ ଫଳାଫଳ ଆସିବା ଆଶା କରି ବିଜେପି ଲୋକଙ୍କ ନିକଟତର ହେବାକୁ ଚେଷ୍ଟାକରିଛି । ଘମାଘୋଟ ବର୍ଷା ଓ ଚିକିଟା କାଦୁଅରେ ଏଥର ପଦ୍ମ ଫୁଟିବ ବୋଲି ଦୃଢ଼ୋକ୍ତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ।

ଅନ୍ୟପଟେ ବିଜେପି ନେତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଅକ୍ତିଆରରେ ଥିବା ପାଟକୁରା ବିଜୟ କରିବ ବିଜେପି । ପଞ୍ଚମ ଥର ପାଇଁ ବିଜେଡ଼ି ଶାସନରେ ଥିବାବେଳେ ବିରୋଧୀ ଶକ୍ତ ହେବାକୁ ପଡ଼ିବ । ଏପରିନହେଲେ ଶାସକଦଳ ଇନ୍ଦ୍ରଚନ୍ଦ୍ର ମାନିବେନି । ବିଜେପି ଗୋଟିଏ ଶକ୍ତ ବିରୋଧୀ ଦଳ ଶକ୍ତ ରୂପେ ଛିଡ଼ିାହେଲେ ରାଜ୍ୟରେ ସୁଚାରୁରୂପେ ଶାସନ ଚଳିବ । ବିଜୟ ମହାପାତ୍ର ବିଧାନସଭାକୁ ଗଲେ ଭାରତୀୟ ଜନତା ପାର୍ଟି ପାଇଁ ‘ସୋନେ ପେ ସୁହାଗାକ୍ଷ ହେବ ବୋଲି ସେ କହିଛନ୍ତି ।