ପାଟକୁରା ଜିତିବା ପାଇଁ ଖୋଲାଖୋଲି ମଦ କାରବାର କରୁଛି ଶାସକ ଦଳ : ନିରପେକ୍ଷ ନିର୍ବାଚନ ପାଇଁ ସିସିଟିଭି ଓ ଅଧିକ ପୋଲିସ ଫୋର୍ସ ମୁତୟନ ଦାବି କଲା ବିଜେପି

173

କନକ ବ୍ୟୁରୋ : ପାଟକୁରା ଉପରେ ସାରା ରାଜ୍ୟର ଫୋକସ୍ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଏବେ ପାଟକୁରା ଉପରେ ସମସ୍ତଙ୍କ ଆଖି । ଆସନ୍ତାକାଲି ପାଟକୁରାରେ ପଡ଼ିବ ଭୋଟ୍ । ବିଧାୟକ ବାଛିବେ ପାଟକୁରାବାସୀ । ଗୋଟିଏ ପଟେ ପାଟକୁରା ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି, ତଥାପି ବିଜେଡ଼ି ନେତାମାନେ ପାଟକୁରା ଛାଡ଼ୁନାହାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପୋଲିଂ କର୍ମଚାରୀମାନଙ୍କୁ ପ୍ରଭାବିତ କରିବା ପାଇଁ ସବୁପ୍ରକାର ଅପଚେଷ୍ଟା ଚଳାଇଛି ବିଜେଡ଼ି । ପାଟକୁରାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉ ବୋଲି ଦାବି କରିଛନ୍ତି ବିଜେପିର ପ୍ରତିନିଧି ଦଳ ।

ବିଜେଡ଼ି ବିରୋଧରେ ବିଜେପି ଫେରାଦ୍ । ପାଟକୁରା ନିର୍ବାଚନ ପାଇଁ ଚାଲିଛି ନାଟ । ପ୍ରଥମେ ବିଜେଡ଼ି ଫେରାଦ ହେଲା ଆଉ ଏବେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେଡ଼ି ନେତାମାନେ ଦୁର୍ନିତୀ ଓ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ପାଟକୁରା ନିର୍ବାଚନରେ ବୁଥ କ୍ୟାପଚରିଂ ଭଳି ସ୍ଥିତି ଆଶାଙ୍କା କରୁଛି ବିଜେପି । ନିର୍ବାଚନ ଜିତିବା ପାଇଁ ଅନୀତିକର କାମ କରୁଛି ବିଜେଡ଼ି । ସାଇଲେଣ୍ଟ ପିରିୟଡ଼୍ ଚାଲିଥିବା ବେଳେ ଏବେ ବି ପାଟକୁରାରେ ବିଜେଡ଼ି ନେତାମାନେ ଡେରା ପକାଇଛନ୍ତି । ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛି ଶାସକ ଦଳ । ଖୋଲାଖୋଲି ଭାବେ ମଦ କାରବାର ହେଉଛି । ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ମଦ ବିଜେଡ଼ି ନେତାମାନେ ଖୋଲାଖୋଲି ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ମଦଦୋକାନ ଗୁଡ଼ିକ ସିଲ କରିବା ସହ ମଦ କାରବାର ବନ୍ଦ କରାଯିବା ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେପି ।

ପୂର୍ବରୁ ୧୫୬ଟି ସମ୍ବେଦନଶୀଳ ବୁଥର ତାଲିକା ଦେଇଥିଲା ବିଜେପି । ଆଉ ଦୁଇଟି ବୁଥ ନମ୍ବର ୯୨ ଓ ୯୪କୁ ମିଶାଇ ଏବେ ୧୫୮ଟି ସମ୍ବେଦନଶୀଳ ବୁଥର ତାଲିକା ଦେଇଛି । ଡେରାବିଶ ବ୍ଲକରେ ଶାସକ ଦଳ ବୁଥ ରିଗିଂ କରିବାର ଅଧିକ ସମ୍ଭାବନା ରହିଛି । ବିଜେପି ଅନୁସାରେ ୧୫୮ଟି ବୁଥରେ ଏବେଯାଏଁ ଭିଡ଼ିଓଗ୍ରାଫି ଓ ସିସିଟିଭିର ବ୍ୟବସ୍ଥା କରାଯାଇନାହିଁ । ପାଟକୁରା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ଦାବି କରିଛି ।