ପିପିଲିରେ ମୁହାଁମୁହିଁ ବିଜେଡି- ବିଜେପି : ପଦଯାତ୍ରାରେ ଗଲାବେଳେ ପ୍ରଦୀପ ମହାରଥୀଙ୍କ ସାମନାସାମନି ହେଲେ ବିଜେପି କର୍ମୀ 

ଦୁଇ ପକ୍ଷର ନାରାବାଜି, କଥା କଟାକଟି !

194

କନକ ବ୍ୟୁରୋ : ପିପିଲିରେ ମୁହାଁମୁହିଁ ବିଜେଡି ଓ ବିଜେପି । ଗତକାଲି ଦେଖିବାକୁ ମିଳିଛି ରାଜନୀତିର ଏଭଳି ରୋଚକ ଦୃଶ୍ୟ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଥିବା ବିଜେଡିର ଜନସଂପର୍କ ପଦଯାତ୍ରା ନଭେମ୍ବର ୨ ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଶେଷ ହେଉଥିଲା । ଆଉ ଶେଷ ଦିନରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନେତୃତ୍ୱରେ ବାହାରିଥିଲା ବିଶାଳ ରାଲି । କର୍ମୀ ଓ ସ୍ଥାନୀୟ ନେତାଙ୍କ ସହ ପଟୁଆରରେ ବାହାରିଥିଲେ ପ୍ରଦୀପ ମହାରଥୀ । ହେଲେ ଏତିକିବେଳେ ଅନ୍ୟପଟରୁ ବାହାରିଥିଲା ବିଜେପିର ଶୋଭାଯାତ୍ରା ।

ପଂଚାୟତ ସ୍ତରରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ରାଜ୍ୟବ୍ୟାପୀ ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏଥିପାଇଁ ପିପିଲି ବ୍ଲକ ବିଜେପି ପକ୍ଷରୁ ପଂଚାୟତିରାଜ ମନ୍ତ୍ରୀଙ୍କ ନିଜ ନିର୍ବାଚନ କ୍ଷେତ୍ରରେ ରାଲି କରାଯାଇଥିବାବେଳେ ଗୋଟିଏ ଛକରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର କର୍ମୀ । ପରସ୍ପର ବିରୋଧରେ ନାରାବାଜି କରିଥିଲେ ଉଭୟ ବିଜେପି ଓ ବିଜେଡି କର୍ମୀ । ଦୂରତା ମାତ୍ର ଥିଲା ୧୦ ମିଟର ।

ତେବେ କାଲିର ଦୃଶ୍ୟ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ ଜନସାଧାରଣ । ତେବେ ସେଠାରେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ସେଠାରେ ଆଇଆଇସି ପହଞ୍ଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ପରେ ଦୁହେଁ ବାଟ ଭାଙ୍ଗି ଚାଲିଯାଇଥିବାବେଳେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି ।