ଭୋଟ ସରିବା ପରେ ଫଳାଫଳ ନେଇ ଅଙ୍କକଷା ଆରମ୍ଭ : ଦମ୍ଭ ଦେଖାଇଲେ ବିଜେଡି ନେତା, ଅଧିକ ମାର୍ଜିନରେ ବିଜେପୁର ଦଖଲ କରିବ ଶଙ୍ଖ ଦଳ

622

କନକ ବ୍ୟୁରୋ : କିଏ ଜିତିବ ବିଜେପୁର ବାଜି ? ଭୋଟ୍ ସରିବା ପରେ ଫଳାଫଳ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଦେଢବର୍ଷ ଭିତରେ ତିିନି ତିନି ଥର ମତଦାନ କରିଥିବା ବିଜେପୁରବାସୀ ନୂଆ ବିଧାୟକ ବାଛି ସାରିଛନ୍ତି । ବିଜେପୁରବାସୀଙ୍କ ନିଷ୍ପତି ଇଭିଏମରେ ସିଲ୍ ହୋଇସାରିଥିବା ବେଳେ ଆସନ୍ତା ୨୪ତାରିଖରେ ଫଳାଫଳ ପ୍ରକାଶ ପାଇବ । ସେଦିନ ସ୍ପଷ୍ଟ ହୋଇଯିବ, କାହାର ହେଲା ବିଜେପୁର ? ରୀତା ସାହୁ, ସନତ ଗଡତିଆ ନା ଦିଲ୍ଲୀପ ପଣ୍ଡା । ତେବେ ନିର୍ବାଚନୀ ସରଗରମ ମଧ୍ୟରେ ଦମ୍ଭୋକ୍ତି କରିଛି ବିଜେଡ଼ି । ବିଜେପୁରରେ ବିଜୟୀ ହେବେ ବିଜୁ ଜନତା ଦଳ ।

 

ବିଜେପୁରରେ ବିଜୟ ଧ୍ୱଜା ଉଡ଼ାଇବ ବିଜେଡ଼ି । ଏପରି ଦମ୍ଭୋକ୍ତି କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ବିଜେଡ଼ି ଅନେକ ଉପନିର୍ବଚନ ଲଢ଼ିଥିଲେ ଚଳିତ ବିଜେପୁର ଉପନିର୍ବାଚନ ଭିନ୍ନ । ଏଥର ବିଜେପୁର ନିର୍ବାଚନ ଏକପାଖିଆ ହୋଇଛି । ନିର୍ବାଚନ ପ୍ରଚାର ସମୟରେ ବିଜେପି ଓ କଂଗ୍ରେସର କାର୍ଯ୍ୟକ୍ରମରେ ଲୋକଙ୍କର କୌଣସି ଆଗ୍ରହ ନଥିଲା । ଉପନିର୍ବାଚନରେ ବିଜେପୁରରେ ବିଜେଡ଼ି ମାହୋଲ ସୃଷ୍ଟି କରିଥିଲା । ବିଗତ ଉପନିର୍ବାଚନ ଓ ସାଧାରଣ ନିର୍ବାଚନ ଠାରୁ ମଧ୍ୟ ଅଧିକ ମାର୍ଜିନରେ ଭୋଟ୍ ପାଇବ ବିଜୁ ଜନତା ଦଳ । ବିଜେପୁର ବିଜେଡ଼ିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସୁଶାନ୍ତ ସିଂ । 

 

ସେପଟେ କଂଗ୍ରେସ ମଧ୍ୟ ବିଜେପୁର ବାଜି ମାରିବ ବୋଲି ରଣହୁଙ୍କାର ଦେଇଛି । ଉପନିର୍ବାଚନରେ ଖର୍ଚ୍ଚ ନକରିଥିଲେ ହେଁ ମଧ୍ୟ ସ୍ୱତଃପ୍ରବୃତ ଭାବେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି  । ଏହାସହ ବିଜେପି ଓ ବିଜେଡ଼ି ବିରୋଧରେ ସାଂଘାତିକ  ଅଭିଯୋଗ ଆଣିଛନ୍ତି  । ସେ କହିଛନ୍ତି ଉଭୟ ଦଳ ଟଙ୍କା ବଣ୍ଟିବା ପାଇଁ ବିଜେପୁରରେ ଯେପରି ପ୍ରତଯୋଗିତା ଆରମ୍ଭ କରିଥିଲେ । ଏବଂ ନିର୍ବାଚନ ଜିତିବା ପାଇଁ ମୋଟା ଅଙ୍କର ଟଙ୍କା ବଂଟା ହୋଇଛି । ତଥାପି କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ବିଜେପୁରରେ  ଅଳ୍ପ ବ୍ୟବଧାନରେ ହେଉ ପଛେ ଜିତିବ କଂଗ୍ରେସ ବୋଲି ସେ କହିଛନ୍ତି ।