ଶୂନ୍ୟକାଳରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଲେ ଅର୍ଥମନ୍ତ୍ରୀ : ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ମିଳୁନି ଟଙ୍କା, ଆଳ ଦେଖାଇ ଟଙ୍କା କାଟୁଛି କେନ୍ଦ୍ର
କନକ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଖୋଦ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ଶାସକ ଦଳର ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଅଣଦେଖା କରୁଛି କେନ୍ଦ୍ର । ବିଭିନ୍ନ ଆଳ ଦେଖାଇ କେନ୍ଦ୍ର ଟଙ୍କା କାଟି ନେଉଛି । ଏ ନେଇ ଚିଠି ଲେଖିବା ସହ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବୁ ବୋଲି ସେ କହିଛନ୍ତି । ଚତୁର୍ଦ୍ଦଶ ଅର୍ଥକମିଶନରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ବ୍ୟତୀତ ସ୍ୱାୟତଶାସନ ସଂସ୍ଥା ଓ ବିପର୍ଯ୍ୟୟ ପରିଚାଳନା ପାଇଁ ସୁପାରିଶ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୫ରୁ ୨୦୧୯ ଭିତରେ ୧ ଲକ୍ଷ ୮୪ ହଜାର ଟଙ୍କା ସୁପାରିସ ହୋଇଛି । ୨୦୧୮-୧୯ ସୁଦ୍ଧା ୧ ଲକ୍ଷ ୩୫ ହଜାର ୮୦୦ କୋଟି ଟଙ୍କାର ସୁପାରିସ ହୋଇଥିଲା ବେଳେ ମିଳିଛି ୧ ଲକ୍ଷ ୨୮ ହଜାରେ ୫୨୮ କୋଟି । ୧୭ ହଜାର ୨୧୯ କୋଟି କମ ଅର୍ଥ ରାଜ୍ୟକୁ ପ୍ରଦାନ କରିଛି । ସୁପାରିସ ତୁଳନାରେ ବହୁତ କମ ଅର୍ଥ ମିଳିଛି । ମନଇଚ୍ଛା ଅର୍ଥ କାଟି ଦେଇଛି କେନ୍ଦ୍ର ।
୯୦ : ୧୦ ଅନୁପାତ ହାରରେ ଅର୍ଥ ଦେବାକୁ କେନ୍ଦ୍ର ଆଗରେ ବାରମ୍ବାର ଦାବି ଓ ପ୍ରତିବାଦ ହୋଇଛି । କିନ୍ତୁ ଜିଏସଟିରେ ସ୍ଥିରତା ଆସିନଥିବା ଦର୍ଶାଇ ୭୫:୨୫ ପ୍ରତିଶତ ହାରରେ ଅନୁଦାନ ଦେଉଛି କେନ୍ଦ୍ର । ଚତୁର୍ଦ୍ଦଶ ଅର୍ଥ କମିଶନର ସମସ୍ତ ସୁପାରିଶକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର । ଜିଏସଟି ପ୍ରଚଳନ ପରେ ଯେତିକି ଟିକସ ଆଦାୟ ହେବା କଥା ସେତିକି ନ ହେବାରୁ ଓଡିଶା ସମେତ ଅନ୍ୟ ରାଜ୍ୟକୁ ଆନୁପାତିକ ଅନୁଦାନ ହାରକୁ କମାଇବାକୁ ଲାଗିଛି । ଗୃହରେ ବିଜେଡି ସଦସ୍ୟ ଦେବୀ ମିଶ୍ର ଓ ଅମର ଶତପଥୀ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଥିଲେ ।