ନିର୍ବାଚନ ଅଧିକାରୀଙ୍କ ବିରୋଧରେ ବିଜେଡିର ଅଭିଯୋଗ ! କହିଲା, ଚାଷୀଙ୍କ ପାଖରେ କାଳିଆ ଟଙ୍କା ପହଚାଂଇବାକୁ ଅଟକାଇ ରଖିଛନ୍ତି ସିଇଓ

232

କନକ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଆଜି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କାଳିଆ ଯୋଜନାର ଆର୍ଥିକ ସହାୟତାକୁ ରୋକିଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ଆଳରେ କାଳିଆ ଯୋଜନାର ଆର୍ଥିକ ସହାୟତାକୁ ରୋକିଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।  ଚାଷୀଙ୍କ ପାଖରେ ଟଙ୍କା ପହଞ୍ଚାଇବାକୁ ଦେଉନାହାନ୍ତି । ବିଜେପି ଚାପରେ କାଳିଆ ଯୋଜନାର ଟଙ୍କାକୁ ଅଟକାଉଛନ୍ତି ।

ଏପରି କରିବା ଦ୍ୱାରା କେନ୍ଦ୍ର ସରକାରଙ୍କ ବିଜେପିର ଚାଷୀ ମାରଣ ନୀତି ପଦାରେ ପଡ଼ୁଛି । ପିଏମ କିଷାନ ଯୋଜନା କାଳିଆ ଯୋଜନା ଯଥେଷ୍ଟ ସମୟ ପରେ ଆସିଥିଲା । କେନ୍ଦ୍ର ସରକାରଙ୍କ ଯୋଜନାକୁ ସ୍ୱୀକୃତି ଦିଆଯାଉଥିଲେ ହେଁ ରାଜ୍ୟ ସରକାରଙ୍କ ଯୋଜନାକୁ ଅଟକାଯାଉଛି । ଯଦ୍ୱାରା ରାଜ୍ୟର ଅନେକ ଚାଷୀଙ୍କ ପାଖରେ ସହାୟତା ପହଞ୍ଚିପାରୁନି । ଓଡ଼ିଶା ଚାଷୀକୂଳ କେନ୍ଦ୍ର ସରକାରଙ୍କ ଏପରି ଚାଷୀମାରଣ ନୀତିକୁ କଦାପି କ୍ଷମା ଦେବେ ନାହିଁ ।

ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ତରଫରୁ ଚାଲିଥିବା ପିଏମ କିଷାନ ଯୋଜନାର ଆର୍ଥିକ ସହାୟତାକୁ ସ୍ୱୀକୃତି ଦେଉଛନ୍ତି ନିର୍ବାଚନ ଅଧିକାରୀ । ବିଜେପି ଚାପରେ ନିର୍ବାଚନ ଅଧିକାରୀ କାମ କରୁଥିବା ସସ୍ମିତପାତ୍ର କହିଛନ୍ତି । ବିଜେପିର ଚାପ ଯୋଗୁଁ ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀ କାଳିଆ ଯୋଜନାର ଆର୍ଥିକ ସହାୟତା ପାଇବାରେ ବଂଚିତ ହେଉଛନ୍ତି । ଏପରି ପାତର ଅନ୍ତର ନୀତି ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ବିଜେଡି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।