ବିଜେଡିର ମିଶନ ୨୦୨୪ : ଆଜି ଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦଳର ନୂଆ ସଦସ୍ୟ ସଂଗ୍ରହ ଅଭିଯାନ

398

କନକ ବ୍ୟୁରୋ : ବିଜେଡିର ଟାର୍ଗେଟ ୨୦୨୪ । ଦଳକୁ ଆହୁରି ମଜବୁତ କରିବାକୁ, ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇ ଗୁଣା କରିବାକୁ ଅଭିଯାନ ଆରମ୍ଭ କରିଛି ବିଜେଡି ।  ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନୂଆ ସଦସ୍ୟ ସଂଗ୍ରହ କରିବ ଦଳ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବାକୁ ନିଷ୍ପତି ନିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ୫-ଟିର ଉପଯୋଗ କରିବ ବିଜେଡି । ବର୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଥିବା ବେଳେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏହାର ଦୁଇ ଗୁଣା ସଦସ୍ୟ ସଂଗ୍ରହ କରିବା ପାଇଁ ଟାର୍ଗେଟ ରଖାଯାଇଛି ।

ସଭ୍ୟ ସଂଗ୍ରହ ଅଭିଯାନରେ ଫାଇଭ-ଟିର ଉପଯୋଗ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡି ୱେବ ସାଇଟ୍ରେ ଉପଲବ୍ଧ ହେବ । ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ । ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ ।

ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ବିଜେଡି ନେତାମାନେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳର ତୃଣମୂଳସ୍ତରର କାର‌୍ୟ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସାଥିରେ ଧରି ପ୍ରତି ଘରେ ନେତାମାନେ ପହଞ୍ଚନ୍ତୁ । ଦଳର ବାର୍ତା ପ୍ରତି ଘରେ ପହଞ୍ଚିବା ଦରକାର । ସାଧାରଣ ଜନଜୀବନରେ ଖୁସି ଆଣିଦେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ପରିବର୍ତ୍ତନର ବାର୍ତ୍ତାବହ ହେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।’