ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡ଼ିର ଜବାବ ! ପ୍ରତାପ ଦେବ କହିଲେ, କାଳିଆ ଯୋଜନାରେ ଦୁର୍ନୀତିର ଗନ୍ଧ ନାହିଁ, ୧୦୦ରୁ ଅଧିକ ଆସନରେ ସରକାର କରିବୁ

357

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ଆସିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣାରେ ବୁଥସ୍ତରୀୟ ବିଭିନ୍ନ ଯୋଜନା ବାବଦରେ ବି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଓ ଟଙ୍କିକିଆ ଚାଉଳ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାର କଡ଼ା ଜବାବ ଦେଇଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ୟୁପି ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ବିଷୋଦଗାର କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଋଣଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିିଥିଲେ ଯୋଗୀ ଆଦିତ୍ୟନାଥ । ହେଲେ ସେ ଯେଉଁ ଋଣ ଛାଡ଼ କଲେ ସେଥିରେ ଲୋକେ ୧୫, ୧୬ , ୧୭ ଟଙ୍କା ପାଇଲେ । ତାହା ଚାଷୀଙ୍କୁ କେତେ ଉପକାର କଲା ? ସେ ପ୍ରଥମେ ନିଜ ରାଜ୍ୟ କଥା ବୁଝିବା ଉଚିତ୍ ।

ଅପରପକ୍ଷେ କାଳିଆ ଯୋଜନାକୁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କୃଷି ବୈଜ୍ଞାନିକ, ସମସ୍ତ ରାଜ୍ୟ ସରକାର ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି । କାଳିଆରେ ଯୋଜନାରେ ଦୁର୍ନିତୀର ନାମଗନ୍ଧ ନାହିଁ । ଏହି ଯୋଜନା ଅନୁସାରେ ଚାଷୀଙ୍କ ପାଖରେ ସିଧାସଳଖ ଟଙ୍କା ପହଞ୍ଚୁଛି । ତୃତୀୟ ବ୍ୟକ୍ତି ଏଠାରେ ହସ୍ତକ୍ଷେପ କରିପାରିବ ନାହିଁ । ତେଣୁ ଯୋଜନାରେ ଦୁର୍ନିତୀ ପ୍ରଶ୍ନ ଉଠୁନାହିଁ । କାଳିଆ ଯୋଜନା ବିଷୟରେ ପ୍ରଶ୍ନ କରିଥିବା ଯୋଗୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

ଏହାବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ି ହିଁ ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି ପ୍ରତାପ ଦେବ । ଯେଉଁ ବର୍ଷ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବର୍ଷ ଡିସେମ୍ବର ମାସରେ ମ୍ୟୁନିସିପାଲ ନିର୍ବାଚନରେ ହାରିଗଲା ବିଜେପି । ତାହାର ସମୀକରଣ ଏବେ ଯାଏଁ ବାଛିସାରିଲେଣି କି ଯୋଗୀ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ । ବାକି ରହିଲା ଓଡ଼ିଶା କଥା । ପଂଚାୟ ନିିର୍ବାଚନରେ ଯାହା ହୋଇଛି, ତାହାର ପୁନରାବୃତ୍ତି ହେବନାହିଁ । ଆଗାମୀ ନିର୍ବାଚନରେ ୧୦୦ରୁ ଅଧିକ ସିଟ୍ ପାଇବ ବିଜେଡ଼ି ବୋଲି ଦୃଢୋକ୍ତି କରିଛନ୍ତି ପ୍ରତାପ ଦେବ । ଯେଉଁ ପ୍ରତିଶ୍ରୁତି ଲୋକଙ୍କୁ ୨୦୧୪ରେ ଦେଇଥିଲୁ, ତାକୁ ପୂରଣ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରହିଛି । କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ବାହାସ୍ପଟ ମାରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ ।

ଟଙ୍କିକିଆ ଚାଉଳ ବାବଦରେ ପ୍ରତାପ ଦେବ କହିଛନ୍ତି ଭାରତ ସମ୍ବିଧାନ ଅନ୍ତର୍ଗତ ଯେଉଁ ସରକାର କେନ୍ଦ୍ର୍ରକୁ ଆସିବେ ସେ ପିଡ଼ିଏସ୍ ମାଧ୍ୟମରେ ସମସ୍ତ ରାଜ୍ୟକୁ ଖାଦ୍ୟ ଯୋଗାଣ କରିବ । ଏହା କେନ୍ଦ୍ରର କର୍ତ୍ତବ୍ୟ । ଏବେ ଆମେ ଲୋକଙ୍କୁ ଦେଉଥିବା ଚାଉଳକୁ କେନ୍ଦ୍ର ଗୋଟିଏ ମୂଲ୍ୟରେ ଦେଉଥିଲେ, ଆମେ ତା’ର ମୂଲ୍ୟ କମାଇ ଆଉ କମ ମୂଲ୍ୟରେ ଲୋକଙ୍କୁ ଯୋଗାଉଛୁ । ଏକଥା ଓଡ଼ିଶାର ଜନସାଧାରଣ ଭଲରେ ବୁଝିଛନ୍ତି ।