ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନକୁ ବିଜେଡ଼ିର ବିରୋଧ ! ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅମର ପଟ୍ଟନାୟକ

546

କନକ ବ୍ୟୁରୋ : ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି । ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା । ଅଧିକ ଆସନ ଥିବା ରାଜ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ଏପରି କରାଯାଇଛି । ରାଜ୍ୟର ନିର୍ବାଚନ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଏପରି ନିର୍ବାଚନ କରି ବିଜେପି ଗଡ଼ ହାତେଇବା ପାଇଁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ୪ ପର୍ଯ୍ୟାୟରେ ନିର୍ବାଚନ ହେଲେ ମଧ୍ୟ ବିଜେପିକୁ କିଛି ଫାଇଦା ମିଳିବ ନାହିଁ ।

ତେବେ କେବଳ ଓଡ଼ିଶାରେ ନୁହେଁ ଦେଶରେ ମଧ୍ୟ ନିର୍ବାଚନୀ ପର୍ଯ୍ୟାୟ ନେଇ ପ୍ରଶ୍ନ ଉଠିଛି । ସାରା ଦେଶରେ ୭ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରଶ୍ନ କରାଯାଉଛି । ନିର୍ବାଚନୀ ପର୍ଯ୍ୟାୟ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଅନ୍ୟପଟେ ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ୪ଟି ପର୍ଯ୍ୟାୟରେ ମତଦାନ ହେବ ।

ପଶ୍ଚିମବଙ୍ଗରେ ୫ ପରିବର୍ତ୍ତେ ୭, ଓଡ଼ିଶାରେ ୨ ପରିବର୍ତ୍ତେ ୪ ଓ ମହାରାଷ୍ଟ୍ରରେ ୪ ପର୍ଯ୍ୟାୟରେ ହେଉଥିବା ମତଦାନକୁ ନେଇ ପ୍ରଶ୍ନ ଉଠିଛି । ଏହାବ୍ୟତୀତ ଦିଲ୍ଲୀ, ପଞ୍ଜାବ, ହରିୟାଣା ମେ’ରେ ନିର୍ବାଚନ କରାଯିବା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି । ଅନ୍ୟପଟେ ଜମ୍ମୁକାଶ୍ମୀରରେ ଲୋକସଭା ନିର୍ବାଚନ ହେଉଥିବା ବେଳେ କାହିଁକି ବିଧାନସଭା ନିର୍ବାଚନ ହେଉନି ବୋଲି ମଧ୍ୟ ବିରୋଧୀ ପ୍ରଶ୍ନ କରୁଛନ୍ତି । ନିର୍ବାଚନୀ ତାରିଖ ଭାରତୀୟ ଜନତା ପାର୍ଟି ପାଇଁ ଅନୁକୂଳ ହେବ କହି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି । କାରଣ ଯେଉଁ ରାଜ୍ୟରେ ପାର୍ଟିର ପାଇଁ ଅଧିକ ଆଶା ଓ ଚ୍ୟାଲେଞଜ୍ ରହିଛି ସେଠାରେ ମତଦାନ ଅଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ।