ତେଜିଲା ତେଲ ଦର ବୃଦ୍ଧି ପ୍ରତିବାଦ ! ଲଗାତାର ଦାମ୍ ବୃଦ୍ଧିକୁ ବିରୋଧ କରି ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଧାରଣା

40

କନକ ବ୍ୟୁରୋ : ଆଜି ତେଲ ଦର ବୃଦ୍ଧିର ରାଜ୍ୟବ୍ୟାପୀ ପ୍ରତିବାଦ କରୁଛି ବିଜେଡି । ଆଜିଠାରୁ ୩୦ ତାରିଖି ପର୍ଯ୍ୟନ୍ତ ବିକ୍ଷୋଭ କରିବ ବିଜେଡି । ରାଜଭବନ ସମ୍ମୁଖରେ ପ୍ରତିବାଦ କରି ଧାରଣା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ । ସେହିପରି ବିଭିନ୍ନ ଆରଡିସି, ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହ ଧାରଣା ଦେଇଛନ୍ତି ।

ଅନ୍ୟପଟେ ବେଲଗାମ ହେଉଛି ତେଲ ଦାମ୍ । ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ଟପିଥିବାବେଳେ ଡିଜେଲ ୭୪ ଟପିଛି । ଏହା ସର୍ବକାଳିନ ରେକର୍ଡ । କର୍ଣ୍ଣାଟକ ନିର୍ବାଚନ ସରିବା ପରଦିନଠାରୁ ୧୬ ଦିନ ହେଲାଣି ପ୍ରତିଦିନ ବଢ଼ିଚାଲିଛି ତେଲ ଦର । ଯେଉଁଭଳି ତେଲ ଦର ବୃଦ୍ଧି ଘଟୁଛି ଯଦି ସ୍ଥିତିରେ ପରିବର୍ତନ ନ ଘଟେ, ଆଗାମି ଦିନରେ ପେଟ୍ରୋଲ ଦର ୮୦ ଛୁଇଁପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡିଲେଣି ।

ଦରଦାମ କେବଳ ବଢ଼ିଛି ତାହା ନୁହେଁ ମଧ୍ୟବିତ, ନିମ୍ନମଧ୍ୟବିତଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲିଗଲାଣି । ବେଳକୁ ବେଳ ସ୍ଥିତି ଗମ୍ଭୀର ହେଉଛି । ଏପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ର ଉତ୍ପାଦନ ଶୁଳ୍କ କମାଉ ବୋଲି ରାଜ୍ୟ ସରକାର କହୁଥିବାବେଳେ ରାଜ୍ୟ ଭାଟ୍ ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରାଜ୍ୟ କେନ୍ଦ୍ରର ଏହି ଟଣାଓଟରା ଭିତରେ ବଳି ପଡୁଛନ୍ତି ସାଧାରଣ ଜନତା । ତେବେ ଆନ୍ତଜାର୍ତୀୟ ବଜାରରେ ଅଶୋଧିତ ତୈଳ ଦର କମିଛି । ବ୍ୟାରେଲ ପିଛା ପ୍ରାୟ ୨ ଡଲାର କମିଛି । ତଥାପି କେନ୍ଦ୍ର ସରକାର ତେଲ ଦର କମାଉ ନାହାଁନ୍ତି ।