ପ୍ରେସମିଟ କରି ବିଜେପିକୁ ବିଜେଡ଼ିର ଜୋରଦାର ହମଲା : ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ,ଦାରିଦ୍ର ଦୂରୀକରଣରେ ଓଡିଶାର ଉଦ୍ୟମକୁ ପ୍ରଶଂସା କରିଛି ନୀତି ଆୟୋଗ

194

କନକ ବ୍ୟୁରୋ : ପ୍ରେସମିଟ କରି ବିଜେପିକୁ ଜୋରଦାର ହମଲା କରିଛି ବିଜେଡି । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ବିଜେଡ଼ି ଏକ ପ୍ରେସମିଟ କରି ବିଜେପିକୁ କଡ଼ା ଜବାବ ଦେଇଛି । ନବୀନ ସରକାରଙ୍କ ବିକାଶର ତାଲିକା ସାମ୍ନାରେ ରଖିଛି ବିଜେଡ଼ି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟ । ରାଜ୍ୟରେ ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି । ୧୮-୧୯ ଆର୍ଥିକ ବର୍ଷରେ ପାଖାପାଖି ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ମଧ୍ୟ ଦେଇଛନ୍ତି ରାଜ୍ୟ ସରାକର । ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ଶସକ୍ତ କରାଯାଇଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ଜାତିସଂଘ ଠାରୁ ସ୍ୱୀକୃତି ମିଳିଛି ।

ଅନ୍ୟପଟେ ମନରେଗାରେ ଖରାପ ପ୍ରଦର୍ଶନ କରିଛି ବିଜେପି ଶାସିତ ରାଜ୍ୟ । ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ପଛକୁ ପଛକୁ ନେଇ ଯାଇଛି । ବିକାଶ ତ ହେଉନି, ହେଲେ ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ଲାଇନଚ୍ୟୁତ କରୁଛି । ଗୁଜରାଟର ବିକାଶ ମଡ଼େଲ ନେଇ ପ୍ରଶ୍ନ କରିଛି । ବିଜୁ ଜନତା ଦଳର ସିଙ୍ଗିଲ ଇଞ୍ଜିନ ରାଜ୍ୟକୁ ଆଗକୁ ଆଗେଇ ନେଇଛି । ଦାରିଦ୍ର ଦୂରୀକରଣରେ ଓଡିଶାର ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି । ନବୀନ ସରକାରରେ ୨୫ ପ୍ରତିଶତ ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖା ତଳୁ ଉପରକୁ ଉଠାଯାଇଛି । କେନ୍ଦ୍ର ସରକାର ମଧ୍ୟ ଏକଥା ସ୍ୱୀକାର କରିଛନ୍ତି । ନବୀନ ସରକାରଙ୍କ ସିଙ୍ଗିଲ ଇଞ୍ଜିନ ଓଡ଼ିଶାକୁ ବିକାଶଶୀଳ କରିଛି । ବିଜେଡ଼ି ସଭାପତି ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ୧୯ ବର୍ଷରେ ଅନେକ ପ୍ରଗତି ହୋଇଛି ।

ଭାରତୀୟ ଜନତା ପାର୍ଟିର ନେତାମାନେ ବାରମ୍ବାର ମିଛ କହୁଛନ୍ତି ଓ ପ୍ରହେଳିକା ସୃଷ୍ଟି କରୁଛନ୍ତି । ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦ୍ର ଠାରୁ ରାଜ୍ୟ ସରକାର ଆଗରେ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଖୁବ ଭଲ ହେବ ବୋଲି କହୁଛନ୍ତି ବିଜେପି ନେତା । ତୁଳନାତ୍ମକ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ନୁହେଁ ବୋଲି ମଧ୍ୟ କହୁଛନ୍ତି । ହେଲେ ପ୍ରକୃତ କଥା ହେଲା ଅଲଗା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ଥିବାବେଳେ ଆୟୁଷ୍ମାନ ଯୋଜନାରେ କେବଳ ୫ ଲକ୍ଷର ସୁବିଧା ରହିଛି । ଓଡ଼ିଶାରେ ପରିଚାଳିତ ମମତା ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଡବଲ ଇଞ୍ଜିନ ଅପେକ୍ଷା ରାଜ୍ୟରେ ସିଙ୍ଗିଲ ଇଞ୍ଜିନ୍ ହିଁ ଭଲ ପ୍ରଦର୍ଶନ କରିଛି ବୋଲି କହିଛି ବିଜେଡ଼ି ।