କରୋନା ମୁକାବିଲା ପାଇଁ ବିଜେଡ଼ିର ଆହ୍ୱାନ : ରାଜନୈତିକ ବୟାନବାଜି ନକରି ଦଳମତ ନିର୍ବିଶେଷରେ ଏକାଠି ହେବା, ବିଶ୍ୱ ମହାମାରୀକୁ ମୁକାବିଲା କରିବା

318

କନକ ବ୍ୟୁରୋ : କରୋନାକୁ ନେଇ ରାଜନୀତି କରିବାର ବେଳ ନାହିଁ । କରୋନା ଏବେ ଏକ ଅନ୍ତର୍ଜାତୀୟ ବିପଦ ଭାବେ ଉଭା ହୋଇଛି । ବିଜେପି ରାଜ୍ୟ ନେତୃବୃନ୍ଦ ଅଯଥା ବୟାନବାଜି କରୁଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜେଡ଼ିର ରାଜ୍ୟ ନେତୃତ୍ୱ ରାଜ୍ୟ ସରକାରଙ୍କ ଉପରେ ଅଯଥାରେ ଦୋଷାରପ କରୁଛନ୍ତି । ବିରୋଧୀ ଦଳ ନେତାଙ୍କ ଓ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ମାର୍ଚ୍ଚ ୩୦ ତାରିଖ  ପର୍ଯ୍ୟନ୍ତ ବିଧାନସଭା ମୁଲତବି ରଖାଯାଇଛି । ହେଲେ ଦୁର୍ଭାଗ୍ୟବଶତଃ ରାଜ୍ୟ ସରକାର ପଳାୟନ କରିଛନ୍ତି ବୋଲି ବିଜେପି ବୟାନବାଜି କରୁଛି ।

ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ  ଓ ବିଧାନସଭା ବନ୍ଦ ନେଇ ଭାରତୀୟ ଜନତା ପାର୍ଟି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜୁ ଜନତା ଦଳ ଜବାବ ରଖିଛି । ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ଯ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଅର୍ଥର ଅଭାବ ରହିବ ନାହିଁ , ଅଧିକ ଅର୍ଥରାଶି ଯୋଗାଇବା ପାଇଁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିଜେପି ଏକଥା ବୁଝିବା ଆବଶ୍ୟକ ।

ରାଜ୍ୟ ବିଜେପି ଓଡ଼ିଶା ସରକାରଙ୍କୁ ସମାଲୋଚନା ନକରି ଏବେ କରୋନା ମୁକାବିଲା ପାଇଁ ଏକାଠି ହେବା ଉଚିତ୍ । ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଅନ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକ ଓଡ଼ିଶା ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ଅନୁଧ୍ୟାନ କରିବା ଜରୁରୀ । ବିଜେପି ସଦସ୍ୟମାନେ ଅଯଥାରେ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ । କରୋନା ମୁକାବିଲା ପାଇଁ ଓଡ଼ିଶା ଦଳମତ ନିର୍ବିଶେଷରେ ଏକାଠି ହେବା । ରାଜନୈତିକ ବୟାନବାଜିରେ ନିଜକୁ ସମ୍ପୃକ୍ତ ନକରି ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହୋଇ ମୁକାବିଲା କରିବା ।