କାଲି ଠାରୁ ଖାଇ ନାହାନ୍ତି ମହାରଥୀ, ବାଧିଲା ମନ୍ତ୍ରୀଙ୍କ ଆକ୍ଷେପ : ଶୂନ୍ୟକାଳରେ ନିରଞ୍ଜନଙ୍କୁ କଡ଼ା ଜବାବ ଦେଲେ ବିଜେଡ଼ି ବିଧାୟକ

376

କନକ ବ୍ୟୁରୋ : କାଲି ନିରଞ୍ଜନ ଘାଇଲା କରିଥିଲେ, ଆଜି ମହାରଥୀ ଶାଣିତ ସ୍ୱରରେ ଜବାବ ଦେଲେ । ପୁଣି ଗୃହରେ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । ଗତକାଲି ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ମାରିଥିବା ତେରଛା ବାଣର ଜବାବ ଦେଇଛନ୍ତି ପ୍ରଦୀପ ମହାରଥୀ । ଆଳୁ ମିଶନ ଓ ଶୀତଳ ଭଣ୍ଡାର ପ୍ରସଙ୍ଗରେ କାଲି ମନ୍ତ୍ରୀ କରିଥିବା ଆକ୍ଷେପର କଡ଼ା ଜବାବ ଦେଇଛନ୍ତି । ଶାଣିତ ସ୍ୱରରେ ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ଫେରାଇଛନ୍ତି ବିଜେଡ଼ି ବିଧାୟକ । ମୁଁ କୃଷିମନ୍ତ୍ରୀ ଥିବା ସମୟରେ ରାଜ୍ୟ ସରକାର ୪ ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି । ନିରଞ୍ଜନ ବାବୁ ମନ୍ତ୍ରୀ ହୋଇଗଲେ ବୋଲି କ’ଣ ମୋ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନ ଉଠାଇବେ ?

ମହାରଥୀଙ୍କୁ ବାଧିଲା ମନ୍ତ୍ରୀଙ୍କ ଆକ୍ଷେପ । କ୍ଷୋଭର ପ୍ରକାଶ କରିବା ସହ ମହାରଥୀ କହିଛନ୍ତି, କାଲି ଗୃହରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତର ସମ୍ପୂର୍ଣ୍ଣ ଭୁଲ । ମୋତେ ଦାୟିତ୍ୱ ଦେବା ପୂର୍ବରୁ ରାଜ୍ୟରେ ମାତ୍ର ୨୪ଟି ଶୀତଳ ଭଣ୍ଡାର ଥିଲା, ଯାହା ମୋ ସମୟରେ ୪୮ଟି ହୋଇଥିଲା । ହେଲେ ମନ୍ତ୍ରୀ କହିଥିଲେ ୧୨୮ ଟି ଶୀତଳ ଭଣ୍ଡାର ଥିଲା ଯାହା ୪୮କୁ ଖସିଆସିଛି । ସିଧା ସିଧା ନହେଲେ ମଧ୍ୟ ପୂର୍ବତନ କୃଷିମନ୍ତ୍ରୀଙ୍କୁ ବାଣି ମାରିଥିଲେ । ନିରଞ୍ଜନଙ୍କ ଯୋଗୁଁ ଗତକାଲି ଠାରୁ କିଛି ଖାଇନଥିବା କଥା ଗୃହରେ କହିଛନ୍ତି ମହାରଥୀ । ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ବିବୃତିକୁ ଫେରାଇ ନିଅନ୍ତୁ ବୋଲି ଶାଣିତ ସ୍ୱରରେ କହିଛନ୍ତି ବିଜେଡ଼ି ବିଧାୟକ । ଏପରିକି ନିରଞ୍ଜନଙ୍କ ବିବୃତ୍ତି ନେଇ ମହାରଥୀ ଭାବବିହ୍ୱଳ ହୋଇପଡ଼ିଥିବା ଗୃହରେ ଦେଖିବାକୁ ପଡ଼ିଛି ।

ସୂଚନାଯୋଗ୍ୟ ଗତକାଲି ଶୀତଳ ଭଣ୍ଡାର ଓ ଆଳୁ ମିଶନ ନେଇ ନିରଞ୍ଜନ ପୂଜାରୀଙ୍କ ପଶ୍ନ କରିଥିଲେ ବିଜେଡ଼ି ବିଧାୟକ ମହାରଥୀ । ପ୍ରଶ୍ନର ଉତ୍ତର ଦେବାସହ ତାଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂଜାରୀ କହିଥିଲେ, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଏବଂ ଆଳୁ ମିଶନ ତାଙ୍କ ସମୟରେ ହିଁ ଆରମ୍ଭ ହୋଇ ଶେଷ ହୋଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଥିଲା । ମହାରଥୀ ଚାଷୀ ପୁଅ ଓ ଚାଷରେ ଡକ୍ଟରେଟ କରିଛନ୍ତି । ସବୁ କଥା ତାଙ୍କୁ ଜଣା ବୋଲି ଗୃହରେ ଆକ୍ଷେପ କରିଥିଲେ ନିରଞ୍ଜନ,ଯାହାର କଡ଼ା ଜବାବ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ।