କନକ ବ୍ୟୁରୋ : ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ୍ । କାହାକୁ ମିଳିବ ଟିକେଟ ? ସେଥିପାଇଁ ନେତାଙ୍କ ଛାତି ଧଡ଼ପଡ଼ । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ରହିଛି । ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ । ପ୍ରାର୍ଥୀ ଚୟନ ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକ ଜୋରଦାର କସରତ୍ ଚଳାଇଛନ୍ତି । ସବୁ ରାଜନୈତିକ ଦଳରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରାର୍ଥୀ ଚୟନ । ଆସନ୍ତାକାଲି ଶାସକ ଦଳ ବିଜେଡ଼ି ଘୋଷଣା କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କାହାକୁ ଟିକେଟ ଦେବେ ବିଜେଡ଼ି ସୁପ୍ରିମୋ, ସେନେଇ ସସପେନ୍ସ ଜାରି ରହିଛି ।
ସେପଟେ ନବୀନ ନିବାସରେ ନେତାଙ୍କ ଧାଡ଼ି ଲମ୍ବାଇଛନ୍ତି । ଏବେ ନବୀନ ନିବାସ ଚଳଚଂଚଳ । କାହାକୁ ମିଳିବ ଟିକେଟ୍, କାହାର କଟିବ ତାକୁ ନେଇ ଆଶା ଆଶଙ୍କା ଲାଗିରହିଛି । ଆଉ ଏହାରି ଭିତରେ ନବୀନ ନିବାସରେ ଆସି ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି ଆଶାୟୀ ପ୍ରାର୍ଥୀ । ପୁଣି ଥରେ ସୁଯୋଗ ଦେବା ପାଇଁ ବିଧାୟକ ଓ ସାସଂଦ ଲବି କରୁଥିବା ବେଳେ ନିଜ କ୍ଷେତ୍ରରେ ଲୋକପ୍ରିୟତାକୁ ଆଧାର କରି ଟିକେଟ୍ ମାଗୁଛନ୍ତି ନୂଆ ମୁହଁ । ଗତ କିଛି ଦିନ ମଧ୍ୟରେ ପାର୍ଟି ସୁପ୍ରିମୋଙ୍କ ପାଖରେ ୩୦ହଜାରରୁ ଅଧିକ ବାୟୋଡାଟା ପଂହଚିଥିବା ସୂଚନା ମିଳିଛି । ଆଜି ମଧ୍ୟ କିଛି ଆଶାୟୀ ପ୍ରାର୍ଥୀ ହାତରେ ବାୟୋଡାଟା ଧରି ବିଜେଡିର ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ପହଂଚିଛନ୍ତି ।
ରାଜ୍ୟରେ ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆୟୋଗ ହେବ । ଏପ୍ରିଲ୍ ୧୧ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ୪ ଲୋକସଭା– ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଚୂଡ଼ାନ୍ତ ହୋଇସାରିଛି ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧୮ରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୩ ତାରିଖରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ୍ ୨୯ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କରାଯିବ ।
ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନରେ ନୂଆ ଚେହେରା ଆଣିପାରେ ବିଜେଡି । ବ୍ରହ୍ମପୁରରେ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି କୋରାପୁଟ ଆସନ ପାଇଁ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକ୍କାଙ୍କ ନାଁ ଆଗରେ ରହିଛି । ନବରଙ୍ଗପୁରରେ ରମେଶ ମାଝିକୁ ପ୍ରାର୍ଥୀ କରିପାରେ ବିଜେଡି । ଆଉ କଳାହାଣ୍ଡି ଲୋକସଭା ପାଇଁ ବିଜେଡି ଟିକେଟ ଦୌଡ଼ର ଆଗରେ ରହିଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NAVEEN-5.jpg)