ଇସ୍ତାହାର ଜାରି କଲା ବିଜେଡ଼ି ! ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ଉପରେ ଗୁରୁତ୍ୱ, କ୍ଷମତାକୁ ଆସିବାର ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଦୁଇ କିସ୍ତି ଟଙ୍କା

273

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କଲା ବିଜୁ ଜନତା ଦଳ । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଇସ୍ତାହାର ଜାରି କଲେ ମୁଖ୍ୟମନ୍ତ୍ର । କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବା ବେଳେ ବିଜେଡ଼ି ଆଜି ପ୍ରକାଶ କରିଛି ଇସ୍ତାହାର । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଶାସକ ଦଳ ବିଜେଡ଼ି ଘୋଷଣା କରିଛି ଇସ୍ତାହାର ପତ୍ର । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଇସ୍ତାହାର ଜାରି କରି ନବୀନ କହିଛି,ଆମେ ପ୍ରତିଶ୍ରୁତି ପାଳନ କରିଛୁ । ଅନ୍ୟ ଦଳ ପରି ଫାଙ୍କା ପ୍ରତିଶ୍ରୁତି ଦେଉନାହିଁ ।

ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ବିଜେଡ଼ିର ଇସ୍ତାହାର । ପଞ୍ଚମ ଥର ଗାଦି ଅକ୍ତିଆର କରିବା ପାଇଁ ବିଜେଡ଼ି ଆଣିଲା ଇସ୍ତାହାର ପତ୍ର । ଲଗାତାର ୧୯ ବର୍ଷ ଧରି ଗାଦି ସମ୍ଭାଳିବା ପରେ ପୁଣି ଥରେ ଶାସନ କରିବାକୁ ଦଳର ଭିଜନକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି ବିଜେଡ଼ି ସୁପ୍ରିମୋ । ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି । ଇସ୍ତାହାର ନେଇ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି, ଘର ଘର ବୁଲି ମତ ସଂଗ୍ରହ ପରେ ଇସ୍ତାହାର ହୋଇଛି । ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ୨୦୧୯ ପ୍ରତିଶ୍ରୁତି ମଧ୍ୟ ପୂରଣ କରିବୂୁ ବୋଲି ଅମର ପଟ୍ଟନାୟକ କହିଛନ୍ତି । କାଳିଆ ଯୋଜନାକୁ ସାରା ଦେଶରେ ପ୍ରଶଂସା ମିଳିଛି ।

– ବିଜେଡ଼ିର ଇସ୍ତାହାର ଥିମ୍ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା

– ମହିଳାମାନଙ୍କର ଶସକ୍ତିକରଣ, ଚାଷୀଙ୍କ ଶସକ୍ତିକରଣ ଓ ପଛୁଆ ବର୍ଗ ଲୋକଙ୍କ ଶସକ୍ତିକରଣ ଉପରେ ବିଜେଡ଼ିର ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି ।

– ଚାଷୀଙ୍କ ଉପରେ ଫୋକସ୍ କରିଛି ବିଜେଡ଼ି । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।

–  ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।

– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।

– ଯୁବଗୋଷ୍ଠୀଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦେଇ ସମସ୍ତ କଲେଜ , ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

– ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ

– ଶଷ୍ୟ ଋଣ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

– କାଳିଆ ଯୋଜନା ସହ କାଳିଆ ସ୍କୋଲାରସିପ୍ ମଧ୍ୟ ଜାରି ରହିବ ।

– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ । ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।

– ଜଳସେଚନ ଉପରେ ଗରୁତ୍ୱ ଦେବେ ସରକାର । ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

– ପ୍ରତି ପଞ୍ଚାୟତରେ କୃଷଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଏବଂ ୱେରହାଉସ ଗଠନ କରାଯିବ