ମଞ୍ଚ ଉପରେ ବ୍ରହ୍ମପୁର ସାଂସଦଙ୍କ ଉଗ୍ର ରୂପ : ସର୍ବ ସମ୍ମୁଖରେ ସମର୍ଥକଙ୍କୁ ମାରିଲେ ଚାପୁଡା,ଭିଡିଓ ଭାଇରାଲ ପରେ ରଖିଲେ ସଫେଇ 

582

କନକ ବ୍ୟୁରୋ : ମିଶ୍ରଣ ପର୍ବରେ କର୍ମୀଙ୍କୁ ଚାପୁଡା ମାରିଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ଗଜପତିରେ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ସ୍ଥାନୀୟ କଂଗ୍ରେସ କର୍ମୀ ସଂଗ୍ରାମ ସାହୁ, ବିଜେଡିରେ ଯୋଗ ଦେଇଛନ୍ତି । ତେବେ ସାଂସଦଙ୍କ ହାତରୁ ଉତ୍ତରୀୟ ପିନ୍ଧିବାକୁ ଚାହୁଁଥିବା ସଂଗ୍ରାମଙ୍କୁ ସମସ୍ତଙ୍କ ସାମ୍ନାରେ ହଠାତ୍ ଚାପୁଡା ମାରିଥିଲେ ସାଂସଦ । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ସଫେଇ ରଖିଛନ୍ତି ସାଂସଦ । କହିଛନ୍ତି, ସଂଗ୍ରାମଙ୍କ ସହ ତାଙ୍କର ବଡ଼ଭାଇ-ସାନଭାଇର ସଂପର୍କ ।

ଗଜପତି ଜିଲ୍ଲା ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା । ବିଜେଡିରେ ଯୋଗ ଦେବାକୁ ବୈଠକକୁ ଯାଇଥିଲେ ସଂଗ୍ରାମ ସାହୁ । ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରୁଥିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ତେବେ ସାଂସଦଙ୍କ ହାତରୁ ଉତ୍ତରୀୟ ପିନ୍ଧିବାକୁ ଚାହୁଁଥିବାରୁ ଚନ୍ଦ୍ରଶେଖରଙ୍କ ହାତକୁ ଉତରୀୟ ବଢ଼ାଇ ଦେଇଥିଲେ ସଂଗ୍ରାମ । ଏପରି ଦେଖି ଚିହିଁକି ଉଠିଥିଲେ ସାଂସଦ । ସଂଗ୍ରାମଙ୍କ ଗାଲରେ କଷି ଦେଇଥିଲେ ଶକ୍ତ ଚାପୁଡ଼ା । ସବୁ କିଛି ଦୃଶ୍ୟ ରେକର୍ଡ ହୋଇ ଯାଇଥିଲା କ୍ୟାମେରାରେ । କିନ୍ତୁ ମାଡ଼ ଖାଇବା ପରେ ବି ଚନ୍ଦ୍ରଶେଖରଙ୍କ ପ୍ରତି କୌଣସି ରାଗ କିମ୍ବା ରୋଷ ନଥିଲା ସଂଗ୍ରାମଙ୍କର । ପାଲଟା କହିଥିଲେ, ସାଂସଦ ଚାପୁଡ଼ା ମାରିନାହାନ୍ତି ।   

 

ସଂଗ୍ରାମ ଗୋଟିଏ କଥା କହୁଥିବା ବେଳେ କ୍ୟାମେରା କିନ୍ତୁ ଭିନ୍ନ କଥା କହୁଛି । ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସଫେଇ ରଖିଛନ୍ତି ସାଂସଦ । କହିଛନ୍ତି, ସଂଗ୍ରାମଙ୍କ ସହ ତାଙ୍କର ବଡ଼ଭାଇ-ସାନଭାଇର ସଂପର୍କ । ଚାହୁଁ ଚାହୁଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ । ଜିଲ୍ଲା ବିଜେଡିର ଅନେକ ନେତା ଘଟଣା ସମୟରେ ଉପସ୍ଥିତ ଥିଲେ । ଦିନତମାମ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଘଟଣାରେ ସାଂସଦ ସଫେଇ ରଖିଥିଲେ ବି ନେତାଙ୍କ ଆଚରଣ ଓ ଉଚ୍ଚାରଣ ମଧ୍ୟରେ କେତେ ଫରକ ରହିଛି, ତାହା ସାମ୍ନାକୁ ଆସିଛି ।