ବିଜେଡି ଟିକେଟ ନେବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ! ଟିକେଟ ନେବା ପରେ ନିର୍ବାଚନମଣ୍ଡଳୀ ମୁହଁ ବିଧାୟକ ପ୍ରାର୍ଥୀ

163

କନକ ବ୍ୟୁରୋ : ଘୋଷଣା ହୋଇଥିବା ପ୍ରାର୍ଥୀମାନେ ନବୀନ ନିବାସରେ ପହଂଚି ନିଜ ନିଜ ଟିକେଟ ନେଇଛନ୍ତି । ଟିକେଟ ଧରି ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡାର ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ୱାଳ, ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ଜୁନାଗଡ ବିଧାନସଭା ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ନିଜ ଟିକଟ ଧରି ନବୀନ ନିବାସରୁ ବାହାରିଥିବା ଦେଖାଯାଇଥିଲା । ସେମାନଙ୍କ ଛଡା ଯୋଗେଶ ସିଂ, ପ୍ରଭୁ ଜାନି, ରଘୁରାମ ପୋଡାଲ, ସୁବ୍ରତ ତରାଇ ଆଦି ମଧ୍ୟ ଟିକେଟ ଧରି ନିଜ ନିଜ ନିର୍ବାଚନ ମଣ୍ଡଳି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୩୩୫୫ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଲାଇସେନ୍ସ ପ୍ରାପ୍ତ ୨୯୧୬ଟିୁ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୫୯ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୪ଟି କାରଖାନା ଉପରେ ଚଢ଼ଉ କରାଯାଇଛି । ଗତକାଲି ସୁଦ୍ଧା‌ ରାଜ୍ୟରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ବାରା ୮ଲକ୍ଷ ୩୩ହଜାର ୧୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଲିସ ଦ୍ବାରା ୨ଲକ୍ଷ ୨୦ହଜାର ଟଙ୍କା ଜବତ ହୋଇଛି  ।

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଗତକାଲି ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଥିବା ୧ଲକ୍ଷ ୬୫ହଜାର ୪୩୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଯାଇଛି । ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୧୪ହଜାର ୧୮୧ଟି ହୋର୍ଡିଂ, ପୋଷ୍ଟରକୁ ମଧ୍ୟ ବାହାର କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଯାନବାହନର ଅପବ୍ୟବହାର ହେଉଥିବାରୁ ବିଭିନ୍ନ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ୨୦୭ଟି ମାମଲା ରୁଜୁ କରାଯାଇଛି ।