ଧର୍ମେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି ! ଡ୍ୟୁଟିରେ ଥିବା ଅଫିସରଙ୍କୁ ଅଶୋଭନୀୟ ଆଚରଣର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

289

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଅବାଧ ତଥା ସ୍ୱଚ୍ଛ ନିର୍ବାଚନ ପ୍ରକିୟାରେ ଅସହଯୋଗ କରିଥିବା ଅଭିଯୋଗ କରିଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ଗତକାଲି ଡ୍ୟୁଟିରେ ଥିବା ଅଫିସରଙ୍କୁ ଖରାପ ବ୍ୟବହାର କରିବା ସହ ହେଲିକପ୍ଟର ଯାଂଚ କରିବା ପାଇଁ ମନା କରିଦେଇଥିଲେ । ଗତକାଲି ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ସରକାରୀ ଅଫିସରଙ୍କୁ ଖରାପ ବ୍ୟବହାର କରିବାର ଚିତ୍ର  ଦେଖିବାକୁ ମିଳିଥିଲା ।

ନିର୍ବାଚନ ପ୍ରକ୍ରିିୟାକୁ ସମ୍ମାନ ଦେଇ ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲିର ଏତାଦୃଶ୍ୟ ଲଜ୍ଜାଜନକ ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାର ଗ୍ରହଣ କରାଯାଉ ବୋଲି ଆଜି ଦାବି କରିଛି ବିଜେଡ଼ି । ଜଣେ ରାଜନେତା ହିସାବରେ ଅତି ଅମାନବୀୟ ତଥା ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ କରିଛି ବିଜେଡ଼ି । ଏହାସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁଟକେସରେ ବିପୁଳ ପରିମାଣର ଟଙ୍କା ଥିବାର ମଧ୍ୟ ସନ୍ଦେହ କରାଯାଉଛି ବୋଲି କହିଛି ବିଜେଡ଼ି । ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ଫ୍ଲାଇଂ ସ୍କ୍ୱାର୍ଡ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଫ୍ଲାଇଂ ଯାଂଚକୁ ବିରୋଧ କରିଥିଲେ । ଯାଂଚର କାଗଜପତ୍ର ମାଗିବାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରାଯାଉଛି କି ବୋଲି ଓଲଟା ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା ।