ବିଜେଡିର ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ : ପ୍ରଥମ ଦିନରେ ପ୍ରଥମ ସଦସ୍ୟ ହେଲେ ବିଜେଡ଼ି ସୁପ୍ରିମୋ, ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦୁଇ ଗୁଣା ନୂଆ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ

376

କନକ ବ୍ୟୁରୋ : ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଟାର୍ଗେଟରେ ୨୦୨୪ ନିର୍ବାଚନ । ଲୋକପ୍ରିୟତାର ଶୀର୍ଷରେ ଥିବା ବିଜେଡ଼ି ସୁପ୍ରିମୋ ପଞ୍ଚମ ପାଳିରେ ଶାସନ ଭାର ସମ୍ଭାଳିବା ପରେ ୨୦୨୪କୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲଗାତାର ଷଷ୍ଠ ଥର ପାଇଁ ଆସନ ଅକ୍ତିଆର କରିବା ସହରେକର୍ଡ଼ ସୃଷ୍ଟି କରିବା ପାଇଁ ଲକ୍ଷ୍ୟରେ ଶାସକ ଦଳ ଆରମ୍ଭ କରିଛି ନୂଆ ଅଭିଯାନ । ଆଉ ଏବେଠାରୁ ଦଳକୁ ଆହୁରି ଶସକ୍ତ ଓ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ବିଜୁ ଜନତା ଦଳ ଶକ୍ତି ସଂଗ୍ରହ କରିବା ଆରମ୍ଭ କରିଛି ।  ଏହି ଅଭିଯାନର ଆରମ୍ଭରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ସଦସ୍ୟ ହୋଇଛନ୍ତି । ଆଜିର ଦିନରେ ନବୀନଙ୍କ ସମେତ ୨୪ ଜଣ ସଦସ୍ୟ ନାଁ ପଞ୍ଜିକରଣ ହୋଇଛି ।

ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଦିନରେ ଦୁଇଗୁଣା ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସଭ୍ୟ ସଂଗ୍ରହ ବେଳେ ଚାଷୀ ଓ ସାଧାରଣ ଲୋକଙ୍କୁ ଭେଟି ଆଶୀର୍ବାଦ ନେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଅକ୍ଟୋବର ୩୧ ତାରିଖ ଯାଏଁ ବିଜେଡିର ଏହି ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ । ବର୍ତ୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଥିବା ବେଳେ ଦୁଇ ଗୁଣା ସଦସ୍ୟ ସଂଗ୍ରହ କରିବା ପାଇଁ ଟାର୍ଗେଟ ରଖାଯାଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ୫-ଟିର ଉପଯୋଗ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡି ୱେବ ସାଇଟରେ ଉପଲବ୍ଧ ହେବ ।