ଆସନ୍ତାକାଲି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ, ପୂଜା ପାଇଁ ଚାଲିଛି ଚୂଡ଼ାନ୍ତ ପ୍ରସ୍ତୁତି

334

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକର୍ମା ପୂଜା । ବନ୍ଦର ନଗରୀ ପାରାଦୀପ ଏବେ ଚଳଚଂଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ବାହାରୁ ବ୍ୟବସାୟୀ ମାନେ ଆସି ସେମାନଙ୍କ ପସରା ମେଲିବା ଆରମ୍ଭ କରିଦେଲେଣି ।

ସଜେଇ ହୋଇଛି ବନ୍ଦରନଗରୀ ପାରଦୀପ । ଫୁଟପାତରେ ଉଠା ବ୍ୟବସାୟୀଙ୍କ ଭିଡ ନିଜ ନିଜର ପସରା ମେଲି ବେଶ୍ ୨ପଇସା ରୋଜଗାର କରିବାକୁ ବ୍ୟବସାୟୀ ମାନେ ତତ୍ପର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂଜାକୁ ନେଇ ପାରାଦୀପରେ ପୂଜା ମଣ୍ଡପ ଗୁଡିକ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରଙ୍କୁ ଆଣି ବିଭିନ୍ନ ପ୍ରକାରର ବଡବଡ ତୋରଣ ସଜା କାମ ଚଲାଇଛନ୍ତି । କିଏ ବାଉଁଶ ପୋତୁଛି ତ କିଏ ଟିକିନିକି କରି ଖଞ୍ଜି ଚାଲିଛି ।

ସାଜସଜାରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଆୟୋଜକ ଠାରୁ କାରିଗର ଯାଏଁ ସମସ୍ତେ ଲାଗି ପଡିଛନ୍ତି କାମରେ । ବର୍ଷା ଯୋଗୁ କାମ ଟିକେ ଧିମେଇ ଯାଇଥିବା ବେଳେ ପୂଜା ପୁର୍ବରୁ ପ୍ରସ୍ତୁତି ସାରିବା ପାଇଁ କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ପ୍ରତିବର୍ଷ ପରି ବିଭିନ୍ନ ଶ୍ରମିକ ସଂଘ, ଟ୍ରକ ମାଲିକ ସଂଘ, ପାରାଦ୍ୱୀପ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜାକୁ ଆଡମ୍ବରରେ ପାଳନ କରାଯିବ । ଏହାସହ ପୂଜାରେ ଦର୍ଶକଙ୍କ ମନୋରଂଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମିଦାମୀ କଳାକାରଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ପୂଜା କମିଟି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସୁରୁଖୁରୁରେ ବିଶ୍ୱକର୍ମା ପୁଜା ଶେଷ ହେବ ବୋଲି ଆୟୋଜକ ମାନେ ଆଶା ବାନ୍ଧିଛନ୍ତି ।