ରାଜ୍ୟସଭାରୁ ଇସ୍ତଫା ଦେଲେ ବିଷ୍ଣୁ ଦାସ ! ଯୋଜନା ବୋର୍ଡର ଉପାଧ୍ୟକ୍ଷ ନିଯୁକ୍ତ ପରେ ଉପରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

32

କନକ ବ୍ୟୁରୋ : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଷ୍ଣୁ ଦାସ । ବିଷ୍ଣୁଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ତେବେ ତାଙ୍କ ସ୍ଥାନରେ ରାଜ୍ୟସଭାକୁ କାହାକୁ ପଠାଯିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ୬ ବର୍ଷ ପାଇଁ ରାଜ୍ୟସଭାକୁ ଗତ ବର୍ଷ ଜୁନ୍ ମାସରେ ନିର୍ବାଚିତ ହୋଇଥିବା ବିଜେଡିର ଏହି ବରିଷ୍ଠ ନେତାଙ୍କୁ ମାତ୍ର ୧୦ ମାସ ନପୂରୁଣୁ ଇସ୍ତଫା ଦେବାକୁ କୁହାଯାଇଥିଲା ।

ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଯିବା ନେଇ ଚର୍ଚ୍ଚା ହେଉଛି । ତେବେ ହଠାତ ବିଷ୍ଣୁଙ୍କୁ  ରାଜ୍ୟସଭାରୁ ଇସ୍ତଫା ଦେବାକୁ କୁହାଯିବା ଓ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା ପଛରେ କଣ ଥାଇପାରେ କାରଣ ତାହା ଜଣାପଡିନାହିଁ ।ବିଷ୍ଣୁ ଦାସ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡି ରାଜନୀତି ନୂଆ ମୋଡ ନେବ ବୋଲି ଚର୍ଚ୍ଚା ହେଉଛି ।

ତାଙ୍କ ସ୍ଥାନରେ କାହାକୁ ରାଜ୍ୟସଭା ପଠାଯିବ ଏ ନେଇ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କାହାକୁ ରାଜ୍ୟସଭା ପଠାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏହା ପଛରେ ବି ଏକ ନିର୍ଦ୍ଦିଷ୍ଟ କାରଣ ରହିଛି । କିଛି ଦିନ ତଳେ ଗୀତା ମେହେଟ୍ଟା ଭୁବନେଶ୍ୱର ଆସିଥିବା ବେଳେ ନବୀନଙ୍କ ସହ ସର୍ବସାଧାରଣରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଗୀତାଙ୍କ ସହ ମଲକୁ ଯାଇ ବହି କିଣିଥିଲେ ନବୀନ । ଆଉ ସେଠାରେ ଥିବା ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଯାହା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା । ସେହିପରି ରାଜ୍ୟସଭା ଦୌଡରେ ଆଉ ଜଣଙ୍କ ନାଁ ମଧ୍ୟ ଉଠୁଛି, ସେ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟତମ ବିଶ୍ୱସ୍ତ ପ୍ରଶାସକ ଥିଲେ ବିଜୟ । ଯେତେବେଳେ ସେ ମୁଖ୍ୟ ଶାସନ ସଚିବ ଥିଲେ, ନବୀନଙ୍କ ଉପରେ ତାଙ୍କର ଥିଲା ସବୁଠୁ ଅଧିକ ଆସ୍ଥା ।

ମେ ୨୯ ମିଡ୍ ନାଇଟ୍ ଅପରେସନ ପରବର୍ତ୍ତୀ ସମୟରେ ଯେତେବେଳେ ପ୍ୟାରୀବାବୁ ନବୀନଙ୍କ ଠାରୁ ଦୂରେଇ ଯାଇଥିଲେ, ସେତେବେଳେ ବିଜୟ ହିଁ ପରାମର୍ଶଦାତାର ଭୂମିକା ତୁଲାଇ ଥିଲେ । ଆଲୋଚନା ହେଉଛି, ପଂଚାୟତ ନିର୍ବାଚନରେ ଯେଉଁ ଅଫିସରଙ୍କ ଉପରେ ନିର୍ଭର କରିଥିଲେ, ସେମାନଙ୍କ ଉପରେ ଖୁସି ନାହାନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ବିଜୟଙ୍କ ଭଳି ଜଣେ କରିତକର୍ମା ପ୍ରଶାସକଙ୍କୁ ବିଜେଡି ରାଜନୀତି ବଳୟକୁ ଆଣିବାକୁ ଚାହିଁପାରନ୍ତି ନବୀନ ।