କଲବଲ କରୁଛି କର୍କଟ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଅପେକ୍ଷାରେ ବିଷ୍ଣୁ

220

କନକ ବ୍ୟୁରୋ : ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ । କକର୍ଟ ରୋଗ ପରିବାରର ହସ ଛଡ଼ାଇ ନେଇଛି । କ୍ୟାନସର ରୋଗରେ ଝଟପଟ ହେଉଛନ୍ତି ମାଲକାନଗିରି କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି-୭୯ ଗ୍ରାମର ବିଷ୍ଣୁ ସରକାର । ଦୀର୍ଘ ଦିନ ହେବ ମାରାତ୍ମକ କର୍କଟ ରୋଗରେ ଘାଣ୍ଟି ହେଉଛନ୍ତି ।  ଯେଉଁ ବୟସରେ ରୋଜଗାର କରି ଘର ଚଳାଇବା କଥା ସେହି ସମୟରେ ପରିବାର ପାଇଁ ବୋଝ ପାଲଟିଛନ୍ତି । ଉଠିବା ପାଇଁ କଷ୍ଟ, ବସିବା ପାଇଁ କଷ୍ଟ । ଚିକିତ୍ସା ଅଭାବରୁ ଘର ଦୁଆରେ ଉପାୟଶୂନ୍ୟ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି ।

ବିଷ୍ଣୁଙ୍କ ପରିବାର କହିଲେ ପତ୍ନୀଙ୍କ ସମେତ ଗୋଟିଏ ପୁଅ ଆଉ ୨ ଝିଅ । ବଡ଼ ଝିଅର ବିବାହ ବୟସ ହେଲାଣି । ଅନ୍ୟମାନେ ପାଠ ପଢ଼ୁଛନ୍ତି । ତେବେ ବିଷ୍ଣୁ ଶଯ୍ୟାସାୟୀ ହେବାପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ଏପରି ଦୁର୍ଦ୍ଦିନରେ ପତ୍ନୀ କିନ୍ତୁ ହାରିଯାଇ ନାହାନ୍ତି । ସେ ଏକ ବିଦ୍ୟାଳୟରେ ପାଚିକା ଭାବେ କାମ କରି ମାସକୁ ମାତ୍ର ୧୪ ଶହ ଟଙ୍କା ପାଉଛନ୍ତି । ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ସେଥିପାଇଁ ଘର ଆଗରେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ଚଳାଉଛନ୍ତି ।

ବିଷ୍ଣୁଙ୍କ ଚିକିତ୍ସା ପାଇଁ ଲକ୍ଷାକ୍ଷିକ ଟଙ୍କାର ଆବଶ୍ୟକ ଥିବାବେଳେ ଘରର ସବୁ ସୁନା ଗହଣା, ଦାମୀ ସାମଗ୍ରୀ ବିକ୍ରି ସରିଛି । ତଥାପି ରୋଗ ଭଲ ହେଉନି । ଡାକ୍ତରଙ୍କ କହିବା ଅନୁସାରେ ବିଷ୍ଣୁଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା କରିବା ଦରକାର । ବଡ଼ ମେଡ଼ିକାଲକୁ ଗଲେ ଆହୁରି ଟଙ୍କା ଆବଶ୍ୟକ । ତେବେ ବିଷ୍ଣୁଙ୍କୁ ରୋଗ ବିଷୟରେ ଜାଣିବା ପରେ ତାଙ୍କ ଗାଁ ଲୋକ ୨୦ ହଜାର ଟଙ୍କା ସଂଗ୍ରହ କରି ସାହାଯ୍ୟ ଦେଇଛନ୍ତି । ହେଲେ ଏତିକି ଟଙ୍କା ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ସରକାରୀ ସୟାୟତା ମିଳଲେ ବିଷ୍ଣୁଙ୍କ ଚିକିତ୍ସା ସମ୍ଭବ ହୋଇପାରନ୍ତା ଓ ପରିବାର ମୁହଁରେ ହସ ଫୁଟିପାରନ୍ତା ।