ଭିତରକନିକାରେ ବଦଳିଛି ପକ୍ଷୀଙ୍କ ଠିକଣା : ବଗଗହନ ଛାଡି ଲକ୍ଷ୍ମୀପ୍ରସାଦ ଆଡରେ ବସା ବାନ୍ଧିଛନ୍ତି ବିଦେଶାଗତ ପକ୍ଷୀ

313
କନକ ବୁରୋ : ରାଜନଗର ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ପକ୍ଷୀ ଗଣନା ଅରମ୍ଭ ହୋଇଛି ।  ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପକ୍ଷୀଗଣନା କରିବାକୁ ୨ଟି ଦଳ ଗଠନ କରାଯାଇଛି । ମୁଖ୍ୟତଃ ଏହି ସମୟରେ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ, ଖଇରା ଓ ଗେଣ୍ଡାଳିଆ ପଭୃତି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଭିତରକନିକାକୁ ଆସିଥାନ୍ତି । ଜାତୀୟ ଉଦ୍ୟାନରେ ବଂଶ ବିସ୍ତାର ପାଇଁ ଗୁଁଆ, ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ହେଲେ ଦେଶ ବିଦେଶରୁ ଭିତରକନିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ଠିକଣା ବଦଳିଛି । ଭିତରକନିକା ବଗଗହନ ଓ ମଠ ଆଡିଆରେ ବସା ବାନ୍ଧୁଥିବା ପକ୍ଷୀ ଚଳିତ ବର୍ଷ ବଗଗହନରେ ନଥିବାରୁ ଜଳବାୟୁର ପରିବର୍ତ୍ତନ ସନ୍ଦେହ କରୁଛନ୍ତି ବନଅଧିକାରୀ ଓ ପରିବେଶବିତ୍ ।

ପିକିନିକ୍ କଥା ପଡିଲେ ଲୋକଙ୍କ ମନକୁ ଆପେ ଆପେ ଆସିଯାଏ ଭିତରକନିକା କଥା । କୁମ୍ଭୀରଙ୍କୁ ନେଇ ଚର୍ଚ୍ଚିତ ଭିତରକନିକାରେ ରଙ୍ଗବେରଙ୍ଗର ପକ୍ଷୀ ବି ପର୍ଯ୍ୟଟକଙ୍କ ମନ ଜିଣିଥାନ୍ତି । ଭିତରକନିକାରେ ବଂଶ ବିସ୍ତାର ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଉଡି ଆସିଥାନ୍ତି ପକ୍ଷୀ । ହଜାର ହଜାର ପକ୍ଷୀ ବଗଗହନ ଓ ମଠଆଡିଆରେ ବସା ବାନ୍ଧି ଅଣ୍ଡା ଦେଇ ଛୁଆ ଫୁଟିବା ପରେ ଭିତରକନିକାର ନୀଳ ଆକାଶରେ ଛୁଆଙ୍କୁ ଉଡିବା ଶିଖାଇଥାନ୍ତି । ଆଉ ଭିତରକନିକାର ବଗଗହନରେ ଥିବା ଟାୱାର ଉପରେ ଚଢି ପକ୍ଷୀମାନଙ୍କୁ ଦେଖି ମଜା ଉଠାଇଥାନ୍ତି ଦେଖଣାହାରୀ । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବଗଗହନ ନୁହେଁ ବରଂ ଭିତରକିନିକା ନିକଟ ଲକ୍ଷ୍ମୀପ୍ରସାଦଡିଆରେ ବସା ବାନ୍ଧିଛନ୍ତି ପକ୍ଷୀ ।
ମୁଖ୍ୟତଃ ଏହି ସମୟରେ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଭଳି ୧୦ ପ୍ରଜାତିର ପକ୍ଷୀ ଭିତରକନିକାକୁ ଆସିଥାନ୍ତି । ଚଳିତ ବର୍ଷ ପକ୍ଷୀଙ୍କ ଠିକଣା ବଦଳିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ବନଖଣ୍ଡ ଅଧିକାରୀ  । ଜଳବାୟୁର ପରିବର୍ତ୍ତନ ଯୋଗୁଁ ପକ୍ଷୀଙ୍କ ଠିକଣା ବଦଳି ଥାଇପାରେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରି । ଏଭଳି ପରିବର୍ତନକୁ ଦୃଷ୍ଟିରେ ରଖି ବନବିଭାଗ ସଜାଗ ହେବା ସହ ଭିତରକନିକାର ଜୈବବିବିଧତା ଉପରେ ଦୃଷ୍ଟି ଦେବା ଜରୁରୀ ବୋଲି ପରିବେଶବିତ୍ ମତପୋଷଣ କରିଛନ୍ତି । ତେବେ କାରଣ ଯାହା ବି ହେଉନା କାହିଁକି ଭିତରକନିକାର ସ୍ୱାର୍ଥକୁ ଆଖିରେ ରଖି ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଜରୁରୀ ।