କନକ ବ୍ୟୁରୋ : ଆରମ୍ଭ ହେବ ବାଇ ଚଢ଼େଇଙ୍କ ଗଣନା । ଚମତ୍କାର ବସା ନିର୍ମାଣ କରିବାରେ ମାହିର ଏହି ଚଢ଼େଇମାନେ ଲୁପ୍ତ ପ୍ରାୟ ହୋଇ ଆସୁଥିବା ବେଳେ ଏମାନଙ୍କୁ ଗଣନା କରିବାକୁ ୪ ବର୍ଷ ହେଲା ଉଦ୍ୟମ ଆରମ୍ଭ କରିଛି ଭାରତୀୟ ପକ୍ଷୀ ସଂରକ୍ଷଣ ନେଟ୍ୱର୍କ(ଆଇବିସିଏନ୍) । ଏପ୍ରିଲରୁ ଅଗଷ୍ଟ ମାସ ବାଇ ଚଢ଼େଇମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଜୁନ୍ ସୁଦ୍ଧା ଗଣନା ପାଇଁ ଅଣ୍ଟା ଭିଡ଼ିଛି ଆଇବିସିଏନ୍ । ଏଥିପାଇଁ ସଂସ୍ଥା ପକ୍ଷରୁ ପକ୍ଷୀ ପ୍ରେମୀ ସ୍ବେଚ୍ଛାସେବୀମାନଙ୍କୁ ସାମିଲ୍ ହେବାକୁ ଅହ୍ବାନ କରିଛନ୍ତି ଆଇବିସିଏନ୍ ରାଜ୍ୟ ଚାପ୍ଟରର ସଂଯୋଜିକା ମୋନାଲିସା ଭୁଜବଳ ।
ଓଡ଼ିଶାରେ ମୁଖ୍ୟତଃ ୩ ପ୍ରଜାତିର ବାଇ ଚଢ଼େଇ ଦେଖିବାକୁ ମିଳନ୍ତି । ସେମାନଙ୍କର ଇଂରାଜୀ ନାମ ବାୟା ୱିଭର୍, ଷ୍ଟ୍ରିକ୍ଡ ୱିଭର ଓ ବ୍ଲାକ୍ ବ୍ରେଷ୍ଟେଡ୍ ତଥା ବ୍ଲାକ୍ ଥ୍ରୋଟେଡ୍ ୱିଭର୍ । ୩ ପ୍ରଜାତି ମଧ୍ୟରେ ବାଇ ଚଢ଼େଇ ବା ବାୟା ୱିଭର୍ ଦେଶରେ ଅଧିକ ଦେଖାଯାଆନ୍ତି । ଏମାନେ ତାଳଗଛ ଓ ବିଭିନ୍ନ ବଡ଼ବଡ଼ ବୃକ୍ଷରୁ ଆରମ୍ଭକରି ସନ୍ତସନ୍ତିଆ ସ୍ଥାନ କିମ୍ବା କୂଅ ମଧ୍ୟରେ ମଧ୍ୟ ବସା କରୁଥିବା ଦେଖିବାକୁ ମିଳେ । ଝୁଲନ୍ତା ଅବସ୍ଥାରେ ରହୁଥିବା ଆକର୍ଷଣୀୟ ବସା ହିଁ ବାଇ ଚଢ଼େଇର ପରିଚୟକୁ ସ୍ବତନ୍ତ୍ରତା ଦେଇଛି । ପ୍ରଜନନ ସମୟରେ ପୁରୁଷ ବାଇ ଚଢ଼େଇର ପର ହଳିଦିଆ ଦୃଶ୍ୟମାନ ହୋଇଥାଏ । ପକ୍ଷୀମାନେ ମୁଖ୍ୟତଃ ବହୁ ସହଚର ହୋଇଥିବାରୁ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ବସା ନିର୍ମାଣ କରନ୍ତି ।
ତେବେ ସହରୀକରଣ, ଆଧୁନିକ କୃଷି ପ୍ରଣାଳୀ, ଶିଳ୍ପ କାରଖାନା, ଉନ୍ନତୀକରଣ, ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ସଂପ୍ରତି ବାଇ ଚଢ଼େଇ ବଞ୍ଚିବା ପାଇଁ ଆହ୍ବାନ ଛିଡ଼ା କରିଛି । ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ଅନୁଯାୟୀ ବାଇଚଢ଼େଇ ତଫସିଲଭୁକ୍ତ ୪ ଶ୍ରେଣୀର ପକ୍ଷୀ ହୋଇଛି । ତେଣୁ ବିରଳ ପ୍ରଜାତିର ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ସଚେତନତା ସୃଷ୍ଟି ସହ ୨୦୧୬ରୁ ଆଇବିସିଏନ୍ ବାଇଚଢ଼େଇଙ୍କ ଗଣନା ଆରମ୍ଭ କରିଛି । ବିଗତ ୩ ବର୍ଷରେ ସମଗ୍ର ଭାରତ ବର୍ଷରେ ଓଡ଼ିଶାରେ ବାଇ ଚଢ଼େଇଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି । ତେବେ ଚଳିତ ବର୍ଷ ଫନିରେ ବ୍ୟାପକ କ୍ଷୟକ୍ଷତି ସହ ବଡ଼ବଡ଼ ବୃକ୍ଷ ଉପୁଡ଼ି ପଡ଼ିଥିବାରୁ ବାଇ ଚଢ଼େଇଙ୍କ ସଂଖ୍ୟା ହ୍ରାସ ପାଇବ ନା ସ୍ଥିର ରହିବ ତାହା ଗଣନା ପରେ ହିଁ ଜଣାପଡ଼ିବ ।