ବିନ୍ଦୁ ସାଗରରେ ବୋଇତ ବନ୍ଦାଣ : କଦଳୀ ପଟୁଆରେ ପାନ ଗୁଆ ଥୋଇ ଗାଇଲେ ଆ କା ମା ବୈ ଗୀତ

491

କନକ ବ୍ୟୁରୋ : ଆଜି କାର୍ତ୍ତିକ ପୂଣ୍ଣିମା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରାଯାଇଛି । କଦଳୀ ପଟୁଆରେ ପାନ ଗୁଆ ଥୋଇ ଗାଇଲେ ଆ-କା-ମା-ବୈ ଗୀତ ଗାଇଛନ୍ତି । ସକାଳୁ ସକାଳୁ ନଦୀ ବା ପୁଷ୍କରିଣୀରେ ବୁଡ ପକାଇ ଶ୍ରଦ୍ଧାଳୁମାନେ କଦଳୀ ପଟୁଆ ବା ସୋଲ ତିଆରି ଡଙ୍ଗା ଭସାଇଛନ୍ତି । ଗାଇଛନ୍ତି ଆ କା ମା ବୈ, ପାନ ଗୁଆ ଥୋଇ-ପାନଗୁଆ ତୋର-ମାସକ ଯାକ ଧର୍ମ ମୋର । କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ସ୍ନାନ ସାରି ଦେବ ଦର୍ଶନ କଲେ ସମସ୍ତ ପାପ ନାଶ ହୁଏ ବୋଲି ବିଶ୍ୱାସ ରହିଛି ।

ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ଦେବ ଦର୍ଶନ କରୁଛନ୍ତି । ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସହ ନିବିଡି ଭାବେ ଜଡିତ ଏହି ପୂଣ୍ଣିମା । ପୂଣ୍ଣିମାର ପ୍ରଥମ ୫ ଦିନ ହେଉଛି ମହାପଂଚକ ବା ଭୀଷ୍ମ ପଂଚକ । କାର୍ତ୍ତିକ ପୂଣ୍ଣିମାରେ ରାଇ ଦାମୋଦର ବ୍ରତ ଉଦଯାପନ କରାଯାଇଥାଏ । ଏହି ଅବସରରେ କଦଳୀ ପଟୁଆ ନିର୍ମିତ ଡଙ୍ଗା ଭସାଇବା ବିଧି ପ୍ରଚଳିତ ।

ପବିତ୍ର କାର୍ତିକ ପୂଣ୍ଣିମାରେ ହବିଷ୍ୟାଳୀମାନେ ମହୋଦଧିରେ ସ୍ନାନ କରି ଡଙ୍ଗା ଭସାଇଛନ୍ତି । ପୁରୀ ମହୋଦଧୀ ସମେତ ତୀର୍ଥ ପୁଷ୍କରୀଣିରେ ମଧ୍ୟ ବୋଇତ ଭସାଣ ଥିବାରୁ ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ ୪୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସମୁଦ୍ରକୂଳରେ ମୋବାଇଲ୍ ପାଟ୍ରୋଲିଂ ଭ୍ୟାନ୍ ଓ ସୁରକ୍ଷିତ ସ୍ନାନ ପାଇଁ ୪୦ ଟି ଲାଇଫଗାର୍ଡଙ୍କ ସହିତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ବୋଇତ ଭସାଣ ପରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ୟାରିିକେଡ୍ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତରେ ହାଇସିକ୍ୟୁରିଟି ଜୋନର ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ବେଶର ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ଜମିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚତୁର୍ଥୀରେ ଶ୍ରୀଜିଉ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଇଛନ୍ତି ।