ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଶଂସା କଲେ ବିଲ ଗେଟସ୍ : କରୋନା ମୁକାବିଲାରେ ଭାରତର ପଦକ୍ଷେପ ପ୍ରଶଂସନୀୟ

268

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇ ସାରା ବିଶ୍ୱ ଲଢୁଛି । ଭାରତ କୋଟିକୋଟି ଜନସଂଖ୍ୟା ଓ କମ ସଂସାଧନରେ ମହାମାରୀକୁ ରୋକିବା ପାଇଁ ଯେପରି ପଦକ୍ଷେପ ନେଇଛି ତାକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ବିଲ ଗେଟସ୍ । ବୁଧବାର ଚିଠି ଲେଖି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ନରେନ୍ଦ୍ର ମୋଦିଙ୍କୁ ଦେଇଥିବା ଚିଠିରେ ବିଲ ଗେଟସ ଲେଖିଛନ୍ତି, କରୋନା ବିରୋଧରେ ଆପଣ ଓ ଆପଣଙ୍କ ସରକାର ସମୟ ଥାଉ ଥାଉ ଯେପରି ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ।

ସଂକ୍ରମଣ ସ୍ଥିତି ଅଣାୟତ ହେବା ପୂର୍ବରୁ ସାରା ଦେଶରେ ତାଲାବନ୍ଦ ଲାଗୁ କରାଗଲା । ହଟସ୍ପଟ ଚିହ୍ନଟ କରାଯାଇ ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ପ୍ରଶାସନର ସହୟତାରେ ଘରେ ସଙ୍ଗରୋଧରେ ରଖାଯାଉଛି । ଏସବୁଛଡା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଫୋକସ କରିଛନ୍ତି । ସ୍ୱାସ୍ଥ୍ୟସେବାକୁ ଲଗାତାର ମଜବୁତ କରାଯାଉଛି । ସରକାରଙ୍କୁ ପକ୍ଷରୁ ସମସ୍ତ ଜରୁରୀ ଉପାୟ ସମୟ ଥାଉ ଥାଉ କରାଯାଉଥିବାରୁ ପ୍ରଶଂସା କରିଛନ୍ତି ବିଲ ଗେଟସ୍ । କରୋନା ବିରୋଧୀ ଲଢେଇରେ ଭାରତ ନିଜ ଡିଜିଟାଲ ଶକ୍ତିର ଭରପୁର ଉପଯୋଗ କରିଥିବାରୁ ସେ ଖୁସି ଜାହିର କରିଛନ୍ତି ।

ମୋଦି ସରକାର ଆରୋଗ୍ୟ ସେତୁ ଆପ ଜରିଆରେ ସହଜରେ ଜଣାପଡିବ କରୋନାରୁ କେଉଁ ଅଂଚଳ କେତେ ସୁରକ୍ଷିତ । ଆଗକୁ ଚିଠିରେ ଗେଟସ ଲେଖିଛନ୍ତି, ସବୁ ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସ୍ୱାସ୍ଥ୍ୟସେବାକୁ ବାଲାନ୍ସ କରିପାରିଛନ୍ତି । ଆପଣଙ୍କ ଏପରି ନେତୃତ୍ୱ ଦେଖି ଖୁସି ଲାଗିଛି ବୋଲି ମୋଦିଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଗେଟସ ।