ବାକିରେ ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ସରକାରଙ୍କୁ ପ୍ରାପ୍ୟ ଦାବିରେ ମାସକର ମହଲତ ଦେଲା ବେସରକାରୀ ଡାକ୍ତରଖାନା ସଂଘ, ୩ ଦଫା ଦାବି ପୂରଣ ନହେଲେ ବନ୍ଦ କରିବେ ଚିକିତ୍ସା

400

କନକ ବ୍ୟୁରୋ : ବାକିରେ ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ସେବା ଯୋଗାଇଥିବା ଘରୋଇ ହସ୍ପିଟାଲମାନଙ୍କର ସରକାରଙ୍କ ଉପରେ ବାକିରେ ପଡିଛି କୋଟି କୋଟି ଟଙ୍କା । ଏହି ପ୍ରାପ୍ୟ ପାଇବା ପାଇଁ ସରକାରଙ୍କୁ ମାସକର ମହଲତ ଦେଇଛନ୍ତି ବେସରକାରୀ ଡାକ୍ତରଖାନା ସଂଘ  । ୩ ଦଫା ଦାବି ପୂରଣ ନହେଲେ ଚିକିତ୍ସା ସେବା ବନ୍ଦ୍ କରିବାକୁ ଧମକ ଦେଇଛନ୍ତି ।

ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବାବଦରେ ପ୍ରାପ୍ୟ ଅର୍ଥ ତୁରନ୍ତ ପ୍ରଦାନ ନକଲେ ଏଥିରୁ ଓହରିଯିବେ ବେସରକାରୀ ହସପିଟାଲ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଭିନ୍ନ ରୋଗ ପାଇଁ ଯେତିକି ଟଙ୍କା ଧାର୍ଯ୍ୟ କରାଯାଇଛି, ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ । ନିର୍ଦ୍ଧାରିତ ଦରକୁ ପୁନଃସମୀକ୍ଷା କରିବା ପାଇଁ ସରକାରଙ୍କୁ ଏକ ମାସର ମହଲତ ଦେଇଛି ସଂଘ । ଫଳରେ  ରାଜ୍ୟ ସରକାରଙ୍କ ଏହି ଜନହିତକାରୀ ଯୋଜନାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାରୀ ହସ୍ପିଟାଲ ପରି ବେସରକାରୀ ଡାକ୍ତରଖାନା ଓ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି ସଂଘ । ଲାଇସେନ୍ସ ନବୀକରଣ ଓ ନୂତନ ଲାଇସେନ୍ସ ଆବେଦନ କରୁଥିବା ଡାକ୍ତରଖାନାକୁ ଅଯଥା ସମସ୍ୟାରେ ନପକାଇ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଭିନ୍ନ ସମୟରେ ବିତର୍କ ଚାଲିଥିବା ବେଳେ ରାଜ୍ୟ ବେସରକାରୀ ଡାକ୍ତରଖାନା ସଂଘର ଏହି ଅଭିଯୋଗ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି । ତେବେ ଏ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।