ଭୋଟ୍ ଦେଉଛି ବିଜେପୁର : ୨୮୫ଟି ବୁଥରେ ଆରମ୍ଭ ହେଲା ମତଦାନ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସବୁଠି କଡା ସୁରକ୍ଷା

104

କନକ ବ୍ୟୁରୋ : ଭୋଟ୍ ଦେଇ ନେତା ବାଛୁଛନ୍ତି ବିଜେପୁରବାସୀ । ବିଜେପୁରରେ ଆରମ୍ଭ ହୋଇଯାଇଛି ଉପ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ବିଜେଡିର ରୀତା ସାହୁ, ବିଜେପିର ସତନ ଗଡ଼ତିଆ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରୁ କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ୨ଲକ୍ଷରୁ ଅଧିକ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ ।

ବିଜେପୁର ଉପନିର୍ବାଚନ ମଣ୍ଡଳୀରେ ମୋଟ ୨୮୫ଟି ବୁଥରେ ମତଦାନ ଗ୍ରହଣ କରାଯାଉଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି । ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଚିହ୍ନଟ ହୋଇଥିବା ୨ହଜାର ୭୫୦ ଜଣ ଦିବ୍ୟାଙ୍ଗ ଭୋଟର ପାଇଁ ୨୮୫ଟି ହ୍ୱିଲ ଚେୟାର ରହିବ । ପ୍ରତି ଦିବ୍ୟାଙ୍ଗଙ୍କୁ ୨ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ମତଦାନ ବେଳେ ସହଯୋଗ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିପରି ଘରୁ ଦିବ୍ୟାଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ୧୪୮ଟି ଡମି ବ୍ରେଲି ବାଲାଟ ପେପର ରହିବ । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯିବ । ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଧିକାରୀ ଏବଂ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିଛନ୍ତି ।