କନକ ବ୍ୟୁରୋ : ସରଗରମ ହୋଇଛି ବିଜେପୁର । ଉପନିର୍ବାଚନ ପାଇଁ ଆଉ ମାତ୍ର ୬ଦିନ ବାକି ଥିବା ବେଳେ ସବୁ ଦଳର ପ୍ରଚାର ଏବେ ଜୋର ଧରିଛି । ନିଜ ନିଜର ଷ୍ଟାର ପ୍ରଚାରକଙ୍କୁ ନେଇ ମଇଦାନକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ । ବିଜେଡିର ପ୍ରଚାର କରୁଛନ୍ତି ଅଭିନେତାରୁ ନେତା ସାଜିଥିବା ଅନୁଭବ, ସିଦ୍ଧାନ୍ତ, ଆକାଶ ଦାସନାୟକ, କୁନା ତ୍ରିପାଠୀ ପ୍ରମୁଖ । ବିଜେପୁରରେ ସେମାନେ ପକାଇଛନ୍ତି ଡେରା । ଅନ୍ୟପଟେ ଆସନ୍ତାକାଲି ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିବା ବେଳେ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହତି ଅଛନ୍ତି । ଅନ୍ୟପଟେ ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରହୀଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପୂର୍ବରୁ ଗତ କିଛି ଦିନ ଧରି ବିଜେପୁରରେ ଡେରା ପକାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏପଟେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକଜୁଟ ହୋଇଛି ରାଜ୍ୟ କଂଗ୍ରେସ । ପ୍ରଚାରରେ ଦୁର୍ବଳ ବୋଲି ବିବେଚନା କରାଯାଉଥିବା କଂଗ୍ରେସ ଏବେ ନିଜ ଅଭିଯାନକୁ ଦମଦାର କରିବାରେ ଲାଗି ପଡ଼ିଛି । ନିଜର ସବୁ ଶକ୍ତି ଯୋଗାଡ଼ କରି ଦଳ ପ୍ରଚାର ମଇଦାନକୁ ଓହ୍ଲାଇଛି । ଦଳର ହେଭିେଓ୍ଵଟ୍ ନେତାମାନେ ଏକାଠି ହୋଇ ପ୍ରଚାରକୁ ବ୍ୟାପକ କରିବାକୁ ଉଦ୍ୟମ ଚଳାଇଛନ୍ତି । ଶୁକ୍ରବାର ଦଳର ତୁଙ୍ଗ ନେତାଙ୍କୁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏଥିରେ ସାମିଲ ଥିଲେ ବିଧାନସଭା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ଶରତ ରାଉତ, ପ୍ରକାଶ ଦେବତା, ରିପୁନାଥ ସେଠ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସାଧୁ ନେପାକ, ନିହାର ମହାନନ୍ଦ, ବିଧାୟକ କୃଷ୍ଣ ସାଗରିଆ, ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢ଼ୀ, ମୁଖପାତ୍ର ହମିଦ ହୁସେନ, କୃଷକ ସେଲ୍ ଆବାହକ ଅମୀୟ ପଟ୍ଟନାୟକ, ସଂଖ୍ୟାଲଘୁ ସେଲ୍ ଆବାହକ ମହମ୍ମଦ ସାହାନବାଜ, ଆନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/Bijepur-1.jpg)
/kanak/media/post_attachments/wp-content/uploads/2018/02/1-47.jpg)