କଂଗ୍ରେସ ଗଡ଼ରେ ଶୁଭିଛି ଶଙ୍ଖ ଧ୍ୱନୀ : ଏଥର ବି ସବୁଜ ହେବ କି ବିଜେପୁର ନିର୍ବାଚନ ମଣ୍ଡଳୀ ?

726

କନକ ବ୍ୟୁରୋ : ଆଉ ଏକ ହାଇଭୋଲଟେଜ୍ ନିର୍ବାଚନର ସାକ୍ଷୀ ହେବ ବିଜେପୁର । ବହୁପ୍ରତିକ୍ଷୀତ ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ପତିଆରାର ଲଢ଼େଇ ଦେଖିବ ବିଜେପୁର । ବିଜେପୁର ପୁଣି ମୁହାଁମୁହିଁ ହେବେ ରାଜ୍ୟର ତିନି ପ୍ରମୁଖ ଦଳ । ତାରିଖ ଘୋଷଣା ପରେ ଆରମ୍ଭ ହେଲା ସମର ସଜ୍ଜା । ନବୀନଙ୍କୁ ବାଛିଥିବା ବିଜେପୁରବାସୀ ପୁଣି ବାଛିବେ ବିଧାୟକ ।  ଏଥର କାହାର ହେବ ବିଜେପୁର ? ସବୁଠାରୁ ବଡ଼ କଥା ହେଲା ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଉଥିବା ବିଜେପୁରରେ ଏଥର ପୁରୁଣା ମୁହଁ ଦେଖିବାକୁ ମିଳିବ ନା ନୂଆ ପ୍ରାର୍ଥୀ ଚମକିବେ । ତେବେ ବିଗତ ସାଧାରଣ ନିର୍ବାଚନ ତଥା ତା’ପୂର୍ବରୁ ହୋଇଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି ବିଜେପୁରରେ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି ବିଜେଡ଼ି ।  

କଂଗ୍ରେସ ଗଡ଼ ବିଜେପୁରରେ ବଢ଼ୁଛି ବିଜେଡ଼ିର ଦବଦବା । ଧୀରେ ଧୀରେ ହାତ ଖସୁଛି । ବିଜେପୁରରେ ଲୋକପ୍ରିୟତା ହରାଇବାକୁ ବସିଲାଣି କଂଗ୍ରେସ ।  ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ୍ ପାଇ ନିକଟତମ ପ୍ରତିଦ୍ୱୀନ୍ଦି ତଥା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ପରାଜିତ କରିଥିଲେ । ସନତ ଗଡ଼ତିଆଙ୍କ ହାତକୁ ୫୩, ୪୮୨ ଖଣ୍ଡ ଭୋଟ୍ ଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠଙ୍କୁ ମିଳିଥିଲା ମାତ୍ର ୧୪,୩୪୪ ଖଣ୍ଡ ଭୋଟ୍ ।

ସେହିପରି ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ହୋଇଥିବା ବିଜେପୁର ଉପନିର୍ବାଚନରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ନବୀନଙ୍କ ଲୋକପ୍ରିୟତା ଓ ଅନୁକମ୍ପା ଭୋଟରେ ବିଜୟୀ ହୋଇଥିଲେ ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁ ।  ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧  ଖଣ୍ଡ ଭୋଟ୍ ପାଇ ବିଜୟୀ  ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ  ୪୧,୯୩୩ରେ ଭୋଟ ପରାସ୍ତ କରିଥିଲେ । ଅଶୋକ ପାଣିଗ୍ରାହୀଙ୍କୁ  ୬୦,୯୩୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇ ଅମାନତ୍ ହରାଇଥିଲେ । । 

ସେହିପରି ୨୦୧୪ ନିର୍ବାଚନକୁ ଦୃଷ୍ଟିରେ ଆଣିଲେ, ସ୍ପଷ୍ଟ ଜଣାପଡ଼ୁଛି ସେ ସମୟରେ କଂଗ୍ରେସ ବିଜେପୁର ହାସଲ କରିଥିଲା ସତ ହେଲେ ବିଜେଡ଼ି ବି ପଛରେ ନଥିଲା । ମାତ୍ର ୪୫୮ ଖଣ୍ଡ ଭୋଟରେ ହାରିଥିଲା ବିଜେଡ଼ି । ସୁବଳ ସାହୁଙ୍କୁ ୫୩, ୨୯୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଥିଲା ୫୨, ୮୩୨ ଖଣ୍ଡ ଭୋଟ୍ । ଖୁବ କମ୍ ଭୋଟ୍ ବ୍ୟବଧାନରେ ବିଜେପୁର ଦଖଲରୁ ବଂଚିତ ହୋଇଥିଲା ବିଜେଡ଼ି । ସବୁ ନିର୍ବାଚନକୁ ଦେଖିବାକୁ ଗଲେ ଜଣାପଡ଼ୁଛି କଂଗ୍ରେସ ଗଡ଼ ଏବେ ବିଜେଡ଼ି କବଜାରେ । ଆଉ ଏଥର ବି ବିଜେପୁର ଦଖଲ ପାଇଁ ବିଜେଡ଼ି ସୁପ୍ରିମୋ ଗୋଟିଚାଳନା କରିସାରିଛନ୍ତି । 

ଗତ ସାଧାରଣ ନିର୍ବାଚନରେ ୨ଟି ଆସନରୁ ଜିତିବା ପରେ ବିଜେପୁର ଆସନକୁ ଛାଡିଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ । ପାରମ୍ପାରିକ ହିଂଜିଳିକାଟୁ ଆସନଟିକୁ ରଖି ବିଜେପୁର ଆସନ ଛାଡିଦେଇଥିବାରୁ  ଏଠାରେ ଉପନିର୍ବାଚନ ହେବ । କଂଗ୍ରେସ ଗଡ଼କୁ କବଜା କରିଥିବା ବିଜୁ ଜନତା ଦଳ ପାଇଁ ଏହି ଆସନ ବଜାୟ ରଖିବା ଦଳ ପାଇଁ ସମ୍ମାନର ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଏହି ଆସନରୁ ଜିତିଥିବାରୁ ବିଜେଡି ହାତରୁ ଛଡାଇଆଣିବା ପାଇଁ ଭରପୁର ପ୍ରୟାସ କରିବ ବିଜେପି । ସେପଟେ ପୂର୍ବରୁ କଂଗ୍ରେସ ଏହି ଆସନକୁ କବଜାରେ ରଖିଥିବାରୁ ପୁଣି କମବ୍ୟାକ କରିବାକୁ ଉଦ୍ୟମ କରିବ ।