କିଏ ଜିତିବ ବିଜେପୁର ବାଜି ? ୯ସୁଦ୍ଧା ୧୧ ପ୍ରତିଶତ ଭୋଟିଂ, ବିଧାୟକ ବାଛୁଛନ୍ତି ଭୋଟର

125

କନକ ବ୍ୟୁରୋ : ବିଜେପୁରରେ ଉପ ନିର୍ବାଚନ ପାଇଁ ଭୋଟିଂ ଜାରି । ସକାଳ ୯ଟା ସୁଦ୍ଧା ୧୧ ପ୍ରତିଶତ ଭୋଟିଂ ହୋଇଛି । ଭୋଟ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ପ୍ରବଳ ଭିଡ ଜମିଛି । ଭୋଟରମାନେ ଲାଇନ୍ ଲଗାଇ ଭୋଟ ଦେଉଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା, ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ନିଜ ନିଜ ବୁଥରେ ମତଦାନ କରିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨୮୫ଟି ବୁଥରେ ମତଦାନ ଚାଲିଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି ।

ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି ।

ଭୋଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଉଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ ।