ଆଜି ବିଜେପୁର ଦେଖିବ ହାଇଭୋଲଟେଜ୍ ପ୍ରଚାର : ଗାଇସିଲଟ୍ ବ୍ଲକରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ବରପାଲି ଓ ବିଜେପୁର ବ୍ଲକରେ କେନ୍ଦ୍ରମନ୍ତ୍ରୀ କରିବେ ରୋଡ୍ ସୋ’

381

କନକ ବ୍ୟୁରୋ : ଆଜି ବିଜେପୁର ଦେଖିବ ହାଇଭୋଲଟେଜ୍ ପ୍ରଚାର । ଗୋଟିଏ ପଟେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଥିବା ବେଳେ ଅନ୍ୟପଟେ ବିଜେପି ପ୍ରାର୍ଥୀ ସତନ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଅବଶ୍ୟ ନବୀନ ଏବଂ ଧର୍ମେନ୍ଦ୍ର ଅଲଗା ଅଲଗା ବ୍ଲକ୍ରେ ନିର୍ବାଚନ ପ୍ରଚାର କରୁଥିଲେ ବି ଗୋଟିଏ ଲଢ଼େଇ ପାଇଁ ମୈଦାନକୁ ଓହ୍ଲାଉଛନ୍ତି ଦୁଇ ତୁଙ୍ଗ ନେତା । ଗତକାଲି ମୁଖ୍ୟମନ୍ତ୍ରୀ ପ୍ରାୟ ୧୩ଟି ପଂଚାୟତରେ ପ୍ରଚାର କରିଥିବା ବେଳେ ଗତ ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିଛନ୍ତି ।

ନବୀନ ପଟ୍ଟନାୟକ ନିଜେ ବିଜେପୁରର ଦାୟିତ୍ୱ ନେଇ ବିକାଶ କାମକୁ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ, ନବୀନ କାହିଁକି ବିଜେପୁର ଛାଡ଼ିଲେ ବୋଲି ପ୍ରଶ୍ନ କରି ଆସୁଛନ୍ତି । ବଡ଼ କଥା ହେଉଛି- ବିଜେଡି ଓ ବିଜେପିର ଦୁଇ ବଡ଼ ଚେହେରା ଆଜି ନିର୍ବାଚନୀ ମୈଦାନକୁ ଓହ୍ଲାଉଥିବାରୁ ଏକ ରୋଚକ ରାଜନୈତିକ ଚିତ୍ର ସାମ୍ନାକୁ ଆସିବାର ସଂଭାବନା ରହିଛି । ମୁଖ୍ୟମନ୍ତ୍ରୀ ଖୋଦ୍ ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇ ୧ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଆଉ ଆସନ୍ତା ୨୧ ତାରିଖ ହେବାକୁ ଥିବା ବିଜେପୁର ଉପ-ନିର୍ବାଚନ ପାଇଁ ଗତକାଲିଠାରୁ ପ୍ରଚାର ଜାରି ରଖିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲଟ୍ ବ୍ଲକ୍ ତାଲପାଲି ପଡ଼ିଆରେ ଓହ୍ଲାଇବେ । ସେଠାରୁ କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଦଲପାଟ, ଭଂଗାମୁଣ୍ଡା, ଡାଙ୍ଗବାହାଲ, ସରଧାପାଲି, କରଞ୍ଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁନ୍ଦେରପାଲି ପର୍ଯ୍ୟନ୍ତ ରୋଡ୍ ସୋ କରିବେ । ଆଉ ଆଜି ପ୍ରଚାର ସାରି ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର ଭିତରେ ବିଜେପୁରରେ ଡେରା ପକାଇଛନ୍ତି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ । ସେମାନଙ୍କର ଦାବି ହେଉଛି ଏଥର ପୁଣି ଥରେ ବିଜେପୁରରେ ବାଜି ମାରିବ ବିଜେଡି ।

ଅନ୍ୟପଟେ ଓଡ଼ିଶା ବିଜେପିର ସବୁଠାରୁ ବଡ଼ ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଓ କର୍ମୀଙ୍କୁ ନେଇ ବିଜେପୁର ଜିତିବାକୁ ବାହାରିଛନ୍ତି । ଆସନ୍ତାକାଲି ପ୍ରଚାର ଶେଷ ହେଉଥିବା ଦୁଇ ଦଳର ତୁଙ୍ଗ ନେତା ପ୍ରଚାର ଲଢ଼େଇକୁ ଅନ୍ତିମ ସ୍ପର୍ଶ ଦେବାକୁ ବାହାରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳୁ ବିଜେପୁର ଏନଏସି, ବରପାଲି ବ୍ଲକର ବନ୍ଧପାଲି ପଂଚାୟତ, ଗୋପେଇପାଲି ପଂଚାୟତ ଏବଂ ବରପାଲି ଏନ୍ଏଏସି ଅଂଚଳରେ ରୋଡ୍ ସୋ କରିବେ । କେନ୍ଦ୍ରମନ୍ତ୍ରୀ ଆଜି ପ୍ରଚାର ଅଭିଯାନକୁ ଅଗେଇ ନେବାକୁ ଥିବା ବେଳେ ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ବସନ୍ତପଣ୍ଡାଙ୍କ ସମେତ ଦଳର ଅନେକ ନେତା ବିଜେପୁରରେ ଡେରା ପକାଇଛନ୍ତି । ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ଆଉ ଏହାର ଜବାବ୍ ବିଜେପୁରବାସୀ ନିର୍ବାଚନରେ ଦେବେ ।