ଦୁଇ ଦଶନ୍ଧି ହୋଇଗଲା . . . ବିଧାନସଭା ଆସିପାରିଲେନି ବିଜୟ । ୧୭୦୦୦ରୁ ଅଧିକ ଭୋଟରେ ପାଟକୁରା ଅକ୍ତିଆର କଲା ବିଜେଡ଼ି

768

କନକ ବ୍ୟୁରୋ : ଭାଙ୍ଗିଗଲା ବିଜୟଙ୍କ ବିଧାନସଭା ଯିବା ସ୍ୱପ୍ନ । ବିଧାନସଭା ଯିବା ରାସ୍ତାରେ କଣ୍ଟା ହେଲେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ପାଟକୁରାରେ ଶୁଭିଲା ଶଙ୍ଖଧ୍ୱନୀ । ବିଜେଡ଼ିର ହେଲା ପାଟକୁରା । ନବୀନ ଅପ୍ରତିଦ୍ୱନ୍ଦ୍ୱୀ, ବିଜେଡି ଅପରାଜେୟ । ତାର ଆଉ ଏକ ପ୍ରମାଣ ଦେଲା ପାଟକୁରା । ଗଡ଼ ରକ୍ଷା କଲା ଶଙ୍ଖ ଦଳ । ବିଜେପିକୁ ଶକ୍ତ ଧକ୍କା । ହାରିଗଲେ ବିଜେପିର ଟାଣୁଆ ନେତା । କଡ଼ା ଟକ୍କର ଦେବା ସତ୍ୱେ ବିଜୟର ସ୍ୱାଦ ଚାଖିପାରିଲେନି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ସାବିିତ୍ରୀଙ୍କୁ ବାଛିଲେ ପାଟକୁରାବାସୀ । ୧୭୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ପରାଜିତ ହୋଇଛନ୍ତି ବିଜୟ ମହାପାତ୍ର । ଗୋଟିଏ ପଟେ ବିଜେଡ଼ି ଶିବିରରେ ଉତ୍ସବ ମନାଉଥିବା ସମୟରେ ବିଜେପି ଶିବିରରେ ନିରାଶା ଖେଳିଯାଇଛି ।

ବିଜୟଙ୍କୁ ବିଧାନସଭା ମନା । ପ୍ରଥମ ରାଉଣ୍ଡରୁ ହିଁ ବିଜେଡ଼ିର ଦବଦବା ଦେଖିବାକୁ ମିଳିଥିଲା ।ମାତ୍ର ଦୁଇଟି ରାଉଣ୍ଡରେ ଯଥାକ୍ରମେ ୧୧ ତମ ଓ ୧୫ ତମ ରାଉଣ୍ଡରେ ହିଁ ବିଜେପି ଆଗେଇଥିଲା । ହେଲେ ସମସ୍ତ ୧୮ଟି ଯାକ ରାଉଣ୍ଡରେ ବିଜୟ ମହାପାତ୍ର ସାବିତ୍ରୀ ଅଗ୍ରୱାଲଙ୍କୁ ଟକ୍କର ଦେଇଥିଲେ । ବିଜୟ ମହାପାତ୍ର ସମସ୍ତ ରାଉଣ୍ଡରେ ସାବିତ୍ରୀ ଅଗ୍ରୱାଲଙ୍କୁ ଟକ୍କର ଦେଇଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଆଗରେ ବରିଷ୍ଠ ନେତାଙ୍କ ପ୍ରଚାର ଫିକା ପଡ଼ିଗଲା । ପାଟକୁରା ଜିତିବାର ଦମ୍ଭୋକ୍ତି କରୁଥିବା ଶେଷରେ ବିଜୟ ପରାଜୟ ବରଣ କରିଛନ୍ତି । ବିଧାନସଭା ଦ୍ୱାର ବନ୍ଦ ହୋଇଯାଇଛି । ଏବେ ପ୍ରଶ୍ନ ଉଠୁଛି ବିଜୟ ମହାପାତ୍ରଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ । ରାଜନୈତିକ ସନ୍ୟାସ ନେଇଯିବେ କି ବିଜୟ ?

ରାଜ୍ୟ ରାଜନୀତିର ଧୂରୀଣ ରାଜନୀତିଜ୍ଞ, ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ନିଜ ମାଟିରେ ଧୂଳି ଚଟାଇବାରେ ବିଜେଡି ସମର୍ଥ ହେଲା ତାର ଶ୍ରେୟ ସାବିତ୍ରୀ ଅଗ୍ରୱାଲଙ୍କୁ ଯେତିକି ଯାଉଛି ନବୀନଙ୍କୁ ତାର କାହିଁ କେତେ ଗୁଣରୁ ଅଧିକ ଯାଏ । ୧୯୮୦ରୁ ୨୦୦୦ ଯାଏଁ ଲଗାତାର ୪-୪ଟି ନିର୍ବାଚନ ଜିତି ବିଜୁ ପଟ୍ଟନାୟକ ସରକାରରେ ଟାଣୁଆ ଚେହେରା ସାଜିଥିବା ବିଜୟ ଯେ ଏମିତି ହାରିବେ ସେ କଥା କେହି କଳ୍ପନା ବି କରିନଥିଲେ । ଡେରାବିଶ , ମାର୍ଶାଘାଇ ଦୂରେ ଥାଉ ନିଜ ଗଡ ଗରଦପୁରରେ ବି ବିଜେଡିକୁ ଟପିପାରିନାହାନ୍ତି ବିଜୟ । ରାଜନୀତିର ଧାର ଧରୁନଥିବା ସାବିତ୍ରୀ ଅଗ୍ରୱାଲ ନିଜ ଦିବଙ୍ଗତ ପତି ବେଦପ୍ରକାଶ ଅଗ୍ରୱାଲଙ୍କ ସଙ୍ଗଠନ, ଅନୁକମ୍ପା ଭୋଟ ଓ ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ଅକ୍ଲେଶରେ ପାର ହୋଇଛନ୍ତି ନିର୍ବାଚନ ବୈତରଣୀ ।

ସୂଚନାଯୋଗ୍ୟ ବିଜୟ ମହାପାତ୍ର କେନ୍ଦ୍ରାପଡା ପାଟକୁରାରୁ ଲଗାତାର ୪ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ସେ ବିଧାୟକ ହୋଇଥିଲେ । ଏପରିକି ୧୯୯୦ରେ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୦ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ହଠାତ୍ ବିଜୟ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇ ପାଟକୁରାରୁ ଟିକେଟ ମଧ୍ୟ ଦିଆଯାଇନଥିଲା । ୨୦୦୧ ମସିହାରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ଗଠନ କରି ୨୦୦୪ରେ କଂଗ୍ରେସ ସହ ମେଂଟ କରିଥିଲେ । ନିର୍ବାଚନରେ ଓଜିପି ୨ଟି ଆସନ ପାଇଥିଲା । ବିଜୟ ମହାପାତ୍ର ଅତି କମ ବ୍ୟବଧାନରେ ହାରିଯାଇଥିଲେ । ତେବେ ପରେ ଓଜିପିର ଏନସିପି ସହ ମିଶ୍ରଣ ହୋଇଥିଲା ।

୨୦୦୯ରେ ଏନସିପି ବିଜେଡି ସହ ମେଂଟ କରିବାକୁ ଘୋଷଣା କରିବା ପରେ ଏହାର ବିରୋଧ କରି ବିଜୟ ଦଳ ଛାଡିଥିଲେ ବିଜେପିରେ ସାମିଲ ହୋଇଥିଲେ ବିଜୟ ମହାପାତ୍ର । ହେଲେ ୨୦୧୮ ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟରେ  ଅସନ୍ତୋଷ ପ୍ରକାଶ କରି ସେ ଗତବର୍ଷ ନଭେମ୍ବରରେ ଦଳ ଛାଡିଥିଲେ । ହେଲେ ସବୁ ମାନ ଅଭିମାନ ଭୁଲି ମାର୍ଚ୍ଚ ୨୮, ୨୦୧୯ରେ ଘର ବାହୁଡ଼ିଥିଲେ ବିଜୟ । ବିଜୟ ମହାପାତ୍ରଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜେପି ପାଟକୁରା ଜିତିବା ପାଇଁ ଆଶା ବାନ୍ଧିଥିଲା । ପୁଣି ଥରେ ବିଧାନସଭା ଯିବାପାଇଁ ଆଶା ବାନ୍ଧିଥିଲେ ବିଜୟ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ କରି ଶେଷରେ ବିଜେଡ଼ି ଜିତିଗଲା ପାଟକୁରା ।