କନକ ବ୍ୟୁରୋ : ଭୋକରେ ଆଉଟୁପାଉଟୁ ହୋଇ କାନ୍ଦୁଛି କୁନି ପ୍ରୁଅ । ଧନ ମୋର କିଛି ଖାଉନି . . . . । ଚକଲେଟ୍, ଖେଳନା, ଯାହା ଦେଖେଇଲେ ବୁଝୁନି । ଦୁଇମାସ ହେଲା ମୋତେ ନଦେଖେି ରାହାଧରି କାନ୍ଦୁଛି । ବକଟେ ଛୁଆ ମା’ ବିନା କେମିତି ରହିବ ? ଶୋଇଲେ ମୋତେ ଖୋଜୁଛି, ନିଦରୁ ଉଠିଲେ ବି ମୋତେ ଖୋଜୁଛି । ମା’ର ସ୍ନେହବୋଳା ପଣତ ଅଣ୍ଡାଳୁଛି । କାନ୍ଦିକାନ୍ଦି କହୁଛି, ମା’ ତୁ ଶୀଘ୍ର ଘରକୁ ଆସ୍ । ହେଲେ ଲକଡାଉନ୍ ଲକ୍ଷ୍ମଣରେଖାରେ ଅସହାୟ ହୋଇପଡ଼ିଛି ମା’ । ଜଳନ୍ତା ରାସ୍ତାରେ ଗୋଡ଼ହାତ ଘସି ଚାଲି ଚାଲି ଗାଁକୁ ଫେରୁଛି ।

Advertisment

publive-image

ଘରେ ପୁଅ ଭୋକିଲା । ଆଉ ଏପଟେ ନୀରବ ରାଜରାସ୍ତାରେ ମା’କୁ ବି ଜାଳୁଛି ପେଟର ଜ୍ୱାଳା । ହେଲେ ଭୋକକୁ ଚିରା ପଣତରେ ଜାବୁଡ଼ି ରାସ୍ତା ମାପୁଛି ଅଭାଗିନୀ ମା’ । ଚାଲୁଛି ଯେ ଚାଲୁଛି । ରାତି ପାହି ଦିନ ହେଇଯାଉଛି ସିନା ହେଲା ରାସ୍ତା ସରୁନି । ଅଜଣା ଭାଇରସ୍ ଭୟ ଭିତରେ ବେଳେ ବେଳେ ଭୋକର ବତାଶ ମନକୁ ଦୋହଲାଇ ଦେଉଛି । ଆଉ ଏହାରି ଭିତରେ ଦାଉ ସାଧୁଛି ପ୍ରଚଣ୍ଡ ଖରା । ଗରିବଙ୍କ ପାଇଁ ଯେପରି ପରସ୍ତ ପରସ୍ତ ଝାଞ୍ଜି ଖଞ୍ଜିଦେଇଛି ନିଷ୍ଠୁର ଗ୍ରୀଷ୍ମ । କଅଁଳା ଛୁଆକୁ ଛାଡ଼ି ମହାଜନ ଟଙ୍କା ଶୁଝିବାକୁ ଦାଦନ ଖଟିବାକୁ ଆସିଥିବା ମା’ ଫସିଯାଇଛି ସଂକ୍ରମଣ ଭୟର ମାୟାଜାଲରେ । କୁନି ପୁଅ ପାଇଁ ଫୋଟକା ପାଦ ସାଙ୍ଗକୁ ପେଟର ତାଡ଼ନାକୁ ପେଟରେ ମାରି ଯୋଜନ ଯୋଜନ ବାଟ ଚାଲିବାକୁ ପ୍ରସ୍ତୁତ ଅଭାଗିନୀ ମା’ ।

publive-image

ଘରକୁ ଫେରିବାର ମୋହ ଭିତରେ ଦାଦନ ଲଢ଼ୁଛି ଭୋକ୍ ବନାମ୍ ଭୟର ଲଢ଼େଇ । ଭୋକ ଉପାସରେ କେବଳ କୁନି ପୁଅ ପାଇଁ ହିଁ କଷ୍ଟସହି ଘରକୁ ଫେରୁଛି ମମତାମୟୀ ମା’ । ମନ ଭିତରେ ସରକାରୀ ବ୍ୟବସ୍ଥା ପ୍ରତି ଆକ୍ରୋଶ ନେଇ ନିରନ୍ତର ବାଟ ଚାଲୁଛି । କେହି ସାହାଯ୍ୟ ନକଲେ ନାହିଁ ମୋତେ ଚାଲି ଚାଲି ଯିବାକୁ ଅନୁମତି ଦିଆଯାଉ ବୋଲି ଗୁହାରୀ କରୁଛି । ତେବେ ଏଇଠି ପ୍ରଶ୍ନ ଉଠୁଛି, ଚାଲି ଚାଲି ଘରକୁ ବାହୁଡ଼ିପାରିବ ତ ଏଇ ମା’ । ନା ଅଧାରାସ୍ତାରେ ଥମିଯିବ ପାଦ ?