କରୋନା ମୁକାବିଲା: ଗଞ୍ଜାମ ପାଇଁ ବଡ଼ ଅପରେସନ୍, ଏକାଥରକେ ଗଲେ ୨୧୮ ଅଫିସର, ଡାକ୍ତର, କର୍ମଚାରୀ

128

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ଧାରଣ କଲାଣି । ଜିଲ୍ଲା ପ୍ରଶାସନ ଲକ୍‌ଡାଉନ୍, ସଟ୍‌ଡାଉନ୍ ଠାରୁ ଆରମ୍ଭ କରି ଯେତେ କଟକଣା କଲେ ବି ସ୍ଥିତି ଆୟତ୍ତକୁ ଆସୁନାହିଁ। ବରଂ ସଂକ୍ରମିତଙ୍କ ସଂଖ୍ୟା କେଉଁଦିନ ୨ଶହ ଟପିଲାଣି ତ ଆଉ କେଉଁଦିନ ତିନିଶହ। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନର ନିୟମକୁ ଶତ ପ୍ରତିଶତ ପାଳନ ଯେଭଳି ଏକ ସମସ୍ୟା ହୋଇଛି, ଚିକିତ୍ସା, ପରୀକ୍ଷା ମଧ୍ୟ ସେଭଳି ଏକ ସଙ୍ଗିନ୍ ସମସ୍ୟା ଭାବେ ଉଭା ହେଲାଣି। ଏଭଳିସ୍ଥିତିରେ ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଗତକାଲି ଏକାଥରକେ ୫ ଓଏଏସ୍ ଅଫିସରଙ୍କ ସମେତ ୪୭ ଓଆର୍‌ଏସ୍, ୩୩ ଏଲୋପ୍ୟାଥିକ୍ ଡାକ୍ତର, ୧୦୦ ଆୟୁଷ ଡାକ୍ତରଙ୍କ ବ୍ୟତୀତ ୩୩ ଟେକ୍ନିସିଆନଙ୍କୁ ଗଞ୍ଜାମକୁ ପଠାଯାଇଛି। ସେହିଭଳି ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସକୁ ପୁରୀରୁ ଗଞ୍ଜାମ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ହୋଇଛି। ଏମିତି ଆଜି ଗୋଟିଏ ଦିନରେ ମୋଟ ୨୧୮ ଡାକ୍ତର ଓ ଅଫିସରଙ୍କୁ ଗଞ୍ଜାମ ପଠାଯାଇଛି। କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ବଲାଙ୍ଗୀରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଗଞ୍ଜାମ ଜିଲ୍ଲାକୁ ଯିବା ପାଇଁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୦ଜଣ ଆୟୁଷ ଡାକ୍ତର ନିୟୋଜିତ ହୋଇଛନ୍ତି।

ସେହିପରି ୩୩ ଏଲୋପ୍ୟାଥିକ ଡାକ୍ତରଙ୍କୁ ପଠାଯାଇଛି। ସେମାନଙ୍କ ମଧ୍ୟରେ କୋରାପୁଟ, କନ୍ଧମାଳ, ଗଜପତି, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ସିଏଚ୍‌ସି, ଏସ୍‌ଡିଏଚ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୨ଜଣ କାର୍ଯ୍ୟରତ ଅଛନ୍ତି। ଏହାସହ ୮ଜଣ ପିଜି ଛାତ୍ର ସେମାନଙ୍କ ପାଠ୍ୟକ୍ରମ ଶେଷ କରିବା ପରେ ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ସମସ୍ତଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜତ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ରାଜସ୍ବ ବିଭାଗ ୪୭ ଜଣ ଓଡ଼ିଶା ରାଜସ୍ବ ସେବା ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇବାକୁ ନିର୍ଦେଶ ଦେଇଛି। ଏହି ଅଧିକାରୀମାନଙ୍କୁ ୧୭ ତାରିଖ ସୁଦ୍ଧା ରିଲିଭ୍ କରିବା ଲାଗି ନିର୍ଦେଶ ଦିଆଯାଇଛି।
ସେମାନେ ସିଧାସଳଖ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ। ଜିଲ୍ଲା ପ୍ରଶାସନ ଯେଉଁଠାରେ ଚାହିଁବେ, ସେଠାରେ ତାଙ୍କୁ ସେବା ଦେବାକୁ ହେବ। ସେହିଭଳି ବଲାଙ୍ଗୀର ଜିଲ୍ଲାରୁ ଡେପୁଟି କଲେକ୍ଟର ସରୋଜ କୁମାର ରାଉତ, ବୌଦ୍ଧରୁ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଝାରସୁଗୁଡାର ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ, କନ୍ଧମାଳ ଡେପୁଟି କଲେକ୍ଟର ଜଗଦିଶ ଷଡ଼ଙ୍ଗୀ, ଲହୁଣୀପଡ଼ା ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ଗଞ୍ଜାମକୁ ପଠାଯାଇଛି।