ପ୍ରବାସୀ ଓଡ଼ିଆଙ୍କ ପାଇଁ ବଡ଼ ଘୋଷଣା : ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କ୍ୱାରେଣ୍ଟିନରେ ଦିନକୁ ୪ ଥର ଦିଆଯିବ ଖାଇବା

2,117

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟରେ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ରାଜ୍ୟକୁ ଫେରିବା ପରେ ପରେ ଏମାନଙ୍କୁ ୧୪ ଦିନ ପାଇଁ ରଖାଯିବ କ୍ୱାରେଂଟିନରେ । ଏଠାରେ ଏମାନଙ୍କର ରହିବା, ଖାଦ୍ୟପାନୀୟ, ସ୍ୱଛତା ରକ୍ଷା ଠାରୁ ଆରମ୍ଭ କରି ମନୋରଂଜନ ପାଇଁ ବ୍ୟବସ୍ଥା କରିବେ ସରକାର । କ୍ୱାରେଂଟିନରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

କ୍ୱାରେଂଟିନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଛତା ରକ୍ଷା ବାବାଦରେ ୩୦୦ ଟଙ୍କା । ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କିଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ କ୍ୱାରେଂଟିନ୍ କ୍ୟାମ୍ପରେ । ସେହିପରି କ୍ୱାରେଂଟିନ କ୍ୟାମ୍ପରେ ସମସ୍ତଙ୍କୁ ଦାନ୍ତ ଘଷା ବ୍ରସ ଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ । ପ୍ରତ୍ୟକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ ।

ସଫାସୁତୁରା, ସାନିଟାଇଜେସନ, ସୁରକ୍ଷା ବାବଦରେ ଦୈନିକ ଖର୍ଚ ୨ ହଜାର ଟଙ୍କା ଭିଚରେ ରଖାଯିବ । ଟେମ୍ପରାରି ମେଡିକାଲ କ୍ୟାମ୍ପରେ ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । ପ୍ରତ୍ୟକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ପ୍ରତ୍ୟକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି କହିଛନ୍ତି ସରକାର ।