କନକ ବ୍ୟୁରୋ : ସଞ୍ଜ ନଇଁଲେ ପାଦ ଛୁଟୁଛି ବାଲିଯାତ୍ରାକୁ । ଗୋଟେ ପାର୍ଶ୍ବରେ ରାମ ଦୋଳି ଓ ବ୍ରେକ୍ ଡ୍ୟାନ୍ସରେ ଝୁମିବାର ଅବକାଶ, ଅନ୍ୟ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେବାର ଅବସର । ପୁଣି କେନ୍ଦୁଝରର ପୋଡ଼ା ମଟନ, ଚିଙ୍ଗୁଡ଼ି, କଙ୍କଡ଼ା ଓ ମାଛର ଗନ୍ଧ ଆମିଷାଷୀମାନଙ୍କୁ ଛାଡ଼ଖାଇ ମଜା ଚଖାଉଛି । ଐତିହାସିକ ପଟିଆବନ୍ଧ କଡ଼ ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଆୟୋଜିତ ବାଲିଯାତ୍ରାର ଆକର୍ଷଣ ଧୀରେଧୀରେ ବଢ଼ିବାରେ ଲାଗିଛି। ତୃତୀୟ ଦିନରେ ମଧ୍ୟ ଲୋକଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ନଈର ଉଭୟ ପାର୍ଶ୍ବରେ ଥିବା ବଙ୍ଗୁଆରୀ, ନହରକଣ୍ଟା, ହରିଦାସପୁର, ମଞ୍ଚେଶ୍ବର, ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଗଣ୍ଡରପୁର ଓ ମରିଚିଆ ବାସିନ୍ଦାଙ୍କ ସମାଗମ ସାଙ୍ଗକୁ ସହର ମଧ୍ୟରୁ ଅନେକ ଲୋକେ କଟକ ଅପେକ୍ଷା ଭୁବନେଶ୍ବର ବାଲିଯାତ୍ରାର ସୀମିତ ଭିଡ଼ ଭିତରେ ବୁଲିବା ପାଇଁ ପସନ୍ଦ କରୁଛନ୍ତି ।
ସୁରକ୍ଷା ଦୃଷ୍ଟିରୁ ପ୍ରଥମ ଦିନରୁ ବଡ଼ ଦୋଳି ପାଇଁ ଅନୁମତି ମିଳିନଥିଲେ ହେଁ ଏବେ ବଡ଼ ଦୋଳି ପାଇଁ ପ୍ରଶାସନରୁ ଅନୁମତି ମିଳିଛି ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଜୀବନ କୁମାର ବଡ଼ୁ ସୂଚନା ଦେଇଛନ୍ତି । ଅନୁମତି ପରେ ବହୁ ସଂଖ୍ୟାରେ ଆଗନ୍ତୁକଙ୍କୁ ଭୁବନେଶ୍ବର ବାଲିଯାତ୍ରା ଆକର୍ଷିତ କରିଛି । ଆଜି ଭୁବନେଶ୍ବର ବାଲିଯାତ୍ରା କମିଟିର ସାଂସ୍କୃତିକ ମଞ୍ଚରେ କୋଲକାତାର ମେଲୋଡ଼ି ଗ୍ରୁପ୍ ପକ୍ଷରୁ ନାଚ ଗୀତର ଆସର ଜମିଥିବା ବେଳେ ଜୟଦେବ ଶିକ୍ଷା କେନ୍ଦ୍ରର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ୧୦୦ଟି ଖାଦ୍ୟ ଷ୍ଟଲ୍ ଖୋଲିଥିବା ବେଳେ ବିଭିନ୍ନ ପାରମ୍ପରିକ ଖାଦ୍ୟ ସହ ଆମିଷ ଖାଦ୍ୟ ବଜାରରେ ଖୁବ୍ ଭିଡ଼ ଜମୁଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନଙ୍କ ସମାଗମ ହୋଇଥିବାରୁ ଅପରାହ୍ଣରୁ କିଣାବିକା ଜମୁଛି ।