କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ମଲ୍ଟି ମୋଡାଲ୍ ହବ୍ ଏବଂ ଷ୍ଟେସନ୍ ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହେବ । ଏଥିରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ ହେବା ସହ ଆଉ ଏକ ପ୍ଲାଟଫର୍ମ ନିର୍ମାଣ ହେବ । ଏହାସହ ଷ୍ଟେସନ୍କୁ ଆଉ ଦୁଇଟି ଅତିରିକ୍ତ ରେଳ ଲାଇନ୍ ବିଛାଯିବ । ଏଥିପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।
ରେଳ ଷ୍ଟେସନ୍ର ଆଧୁନିକୀକରଣ ପାଇଁ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କରିବାକୁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ୨୩ତାରିଖ ଅପରାହ୍ଣ ୪ଟାରେ ନୂଆଦିଲ୍ଲୀସ୍ଥିତ ରେଳ ଭବନରେ ଏହି ଏମ୍ଓୟୁ ସ୍ୱାକ୍ଷର କରାଯିବ । ଏଥିରେ ଯୋଗଦେବାକୁ ଶ୍ରୀ ଗୋୟଲ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି । ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ରେଳ ବଜେଟ୍ରେ ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ବଜେଟ୍ ରଖା ଯାଇଥିଲା । ରାଜ୍ୟ ସରକାରଙ୍କ ସହଭାଗିତାରେ ଅତ୍ୟାଧୁନିକ ଷ୍ଟେସନ ବିଲଡିଂ ନିର୍ମାଣ କରିବାକୁ ଯୋଜନା ହୋଇଛି । ରାଜ୍ୟ ସରକାର ମଧ୍ୟ ସ୍ମାର୍ଟସିଟି ଯୋଜନାରେ ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ ପାଇଁ ଯୋଜନା କରିଛନ୍ତି । ତେଣୁ ଏହି ଏମ୍ଓୟୁ ମାଧ୍ୟମରେ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ କରାଯିବ ବୋଲି ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍ ପାଇଁ ରାଜ୍ୟ ସରକାର ପ୍ରଥମେ ପ୍ରସ୍ତୁତି କରିଥିବା ବେଳେ ଜାନୁଆରିରେ ଏହାର ଏମ୍ଓୟୁ ସ୍ୱାକ୍ଷର ହେବାର ଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଏମ୍ଓୟୁ ସମୟରେ ଉପସ୍ଥିତ ରହିବା ପାଇଁ ସଚିବାଳୟରେ ପହଞ୍ଚି ଯାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଏହି ଏମ୍ଓୟୁ ସ୍ୱାକ୍ଷର କରିବାକୁ ଥିବାରୁ ବିଡିଏ ଅଧିକାରୀମାନେ ମଧ୍ୟ ଉପସ୍ଥିତ ହୋଇଯାଇଥିଲେ ।
କିନ୍ତୁ ଶେଷ ମୁହୂର୍ତ୍ତରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍ଓୟୁ ସ୍ୱାକ୍ଷର କରିବାକୁ ଥିବା ଖୋର୍ଧା ରୋଡ ଡିଭିଜନର ରେଲେଓ୍ଵ ମ୍ୟାନେଜର ବ୍ରିଜମୋହନ ଅଗ୍ରଓ୍ଵାଲ ଅସୁସ୍ଥ ହୋଇଯିବାରୁ ଏହା ବାତିଲ୍ ହୋଇଯାଇଥିଲା । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଥିଲା । ଏହାପରେ ମୁଖ୍ୟ ଶାସନ ସଚିବ ରେଲେଓ୍ଵ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନିଙ୍କୁୁ ଚିଠି ଲେଖି ଏମ୍ଓୟୁ ସ୍ୱାକ୍ଷର ପାଇଁ ସ୍ଥାନ ଓ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଚିଠି ପାଇବା ପରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପ୍ରିଲ ୨୭ ତାରିଖରେ ଚିଠି ଲେଖି ଏମ୍ଓୟୁ ସ୍ୱାକ୍ଷର ନେଇ ଆମନ୍ତ୍ରଣ କରିଛନ୍ତି ।