କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠିକଣା ବଦଳିବ। ବର୍ତ୍ତମାନ ଯେଉଁଠି ଅନ୍ତର୍ଜାତୀୟ ଓ ଘରୋଇ ବିମାନବନ୍ଦର କାର୍ଯ୍ୟ କରୁଛି, ସେଠାରେ କେବଳ ଘରୋଇ ବିମାନ ସେବା ଯୋଗାଇ ଦିଆଯିବ । ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଏଥିପାଇଁ ଏବେ ଜମି ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରସ୍ତାବିତ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମି ଖୋଜିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଇଡକୋ ସିଏମ୍ଡି ଏବଂ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଭୁବନେଶ୍ୱରରୁ କମ୍ ଦୂରତା ମଧ୍ୟରେ କେଉଁଠି ୧୫୦୦ରୁ ୨୦୦୦ଏକର ମଧ୍ୟରେ ଜମି ଅଛି, ତାହାର ତଥ୍ୟ ଦେବାକୁ କୁହାଯାଇଛି । ବିଡିଏ ଉପାଧ୍ୟକ୍ଷଙ୍କୁ କୁହାଯାଇଛି ଯେ, ବୃହତ୍ ଭୁବନେଶ୍ୱର ପାଇଁ ବିଡିଏ ପକ୍ଷରୁ ଯେଉଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି, ସେଥିରେ ଖୋର୍ଦ୍ଧା ଭିତରେ କେଉଁଠି ୧୫୦୦ରୁ ୨୦୦୦ ଏକର ପର୍ଯ୍ୟନ୍ତ ଜମି ମିଳିବ, ତାହା ଜଣାଇବାକୁ କୁହାଯାଇଛି ।
ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି ଯେ ଆମ ମାଷ୍ଟରପ୍ଲାନ୍ ଯାହା ଅଛି ସେହି ଅନୁଯାୟୀ କେଉଁଠି କେତେ ଜମି ଅଛି, ତାହା ଖୋଜିବାକୁ ପଡ଼ିବ । କାଗଜପତ୍ରରେ ଦେଖିଲେ ହେବନି କ୍ଷେତ୍ର ପରିଦର୍ଶନ ବି କରିବାକୁ ହେବ । କାରଣ କେତେକ ସ୍ଥାନରେ ବି ଲୋକ ବିନା ପ୍ଲାନ୍ରେ କିଛି ନିର୍ମାଣ କରିଥାଇପାରିଥାନ୍ତି। ସରକାର ଆମକୁ ଚିଠି ଲେଖିଛନ୍ତି ସେହି ଅନୁଯାୟୀ ଆମେ ଯାଞ୍ଚ କରିବୁ । ଆଉ ସବିଶେଷ ରିପୋର୍ଟ ଦେବୁ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଆବଶ୍ୟକୀୟ ରନେଓ୍ଵର ଅଭାବ ଥିବାରୁ ଏନେଇ ଜମି ଯୋଗାଇବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ।
ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ
ସହ ଗତ ୧ ତାରିଖରେ ଆଲୋଚନା କରିବା ସମୟରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମିର ଆବଶ୍ୟକତା ସମ୍ପର୍କରେ କହିିଥିଲେ । ଏବେ ଥିବା ରନେଓ୍ଵର ଦୈର୍ଘ୍ୟ ୯୦୦ଫୁଟ ଥିବା ବେଳେ ଏହାକୁ ୧୦୫୦ଫୁଟକୁ ସ୍ଥାନାନ୍ତର କରିବାକୁ କହିଥିଲେ । ଏଥିପାଇଁ ଆବଶ୍ୟକ ଥିବା ୬୪ଏକର ଜମି ତୁରନ୍ତ ଯୋଗାଇବାକୁ କହିଥିଲେ। ହେଲେ ରାଜ୍ୟ ସରକାର ୪୭ଏକର ଦେଇପାରିବେ ବୋଲି କହିବା ପରେ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ନୂଆ ବିମାନବନ୍ଦର ପାଇଁ ୧୫୦୦ରୁ ୨୦୦୦ଏକର ଜମି ଆବଶ୍ୟକ ଥିବା ବେଳେ ଏନେଇ ତୁରନ୍ତ ଜମି ଖୋଜିବାକୁ କହିଥିଲେ। ଏହାପରେ ରାଜ୍ୟ ସରକାର ଏହି ଜମି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
୨୦କିମି ଭିତରେ ଜମି ଯୋଗାଇବାକୁ କୁହାଯାଇଛି: ବିମାନବନ୍ଦର କର୍ତ୍ତୃପକ୍ଷ
ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଏବେ ଜମି ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଥିବା ବିମାନ ବନ୍ଦରରୁ ୨୦କିମି ମଧ୍ୟରେ ନୂଆ ଜମି ଖୋଜିବାକୁ କୁହାଯାଇଛି । ରାଜ୍ୟ ସରକାର ଜମି ଚିହ୍ନଟ କରି ଆମକୁ ଜଣାଇଲେ, ଏହାର ଫିଜିବିଲିଟି ସର୍ଭେ ହେବ । ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ଟିମ୍ ଆସିବ । ଶ୍ରୀ ହୋତାଙ୍କ ସୂଚନା ଅନୁଯାୟୀ, ନୂଆ ବିମାନବନ୍ଦର ହେଲେ କିପରି ଏଠାକୁ ସଡ଼କ ପଥରେ ସୁବିଧାରେ ଯୋଗାଯୋଗ କରିହେବ, ବିମାନବନ୍ଦର ହେବାକୁ ଥିବା ସ୍ଥାନରେ କ’ଣ ପ୍ରତିବନ୍ଧକ ଅଛି କି ନାହିଁ ତାହା ଯାଞ୍ଚ କରିବୁ। ବିମାନବନ୍ଦର ଜମି ଚିହ୍ନଟ ହେଲେ ଏହାକୁ ବିକଶିତ କରି ପୂର୍ଣ୍ଣ ବିମାନବନ୍ଦରରେ ପରିଣତ କରିବାକୁ ପ୍ରାୟ ୫ବର୍ଷ ଲାଗିଯିବ ବୋଲି ଶ୍ରୀ ହୋତା କହିଛନ୍ତି ।
୧୦ବର୍ଷର ପବନ ଗତି ଅନୁଧ୍ୟାନ କରାଯିବ
ମଳିପଡ଼ାରେ ପୂର୍ବରୁ ବିମାନବନ୍ଦର ସ୍ଥାନାନ୍ତର ନେଇ ଜମି ଚିହ୍ନଟ ହୋଇଥିଲେ ହେଁ ଏହା କେନ୍ଦ୍ରୀୟ ଟିମ୍ ଦ୍ୱାରା
ଖାରଜ ହୋଇଯାଇଥିଲା । ଏଠାରେ ରନେଓ୍ଵ ପାଇଁ ଅନୁକୂଳ ପବନ ବହୁନଥିବାରୁ ଏବଂ ଜମିର ଆକୃତି ଠିକ୍ ନଥିବା କୁହାଯିବା ପରେ ଏହି ପ୍ରସ୍ତାବିତ ଯୋଜନା କାଟ୍ ଖାଇଥିଲା । ଏବେ ପୁଣି ଜମି ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବିମାନବନ୍ଦର ହେବା ପୂର୍ବରୁ ଆମେ ପ୍ରଥମେ ଚିହ୍ନଟ ହୋଇଥିବା ଜମିର ଫିଜିବିଲିଟି ଯାଞ୍ଚ କରିବୁ । ଏହାସହ ଏହି ସ୍ଥାନରେ କେଉଁ ଦିଗରୁ ପବନ ବହୁଛି ତା’ର ସର୍ଭେ କରାଯିବ । ଗତ ୧୦ବର୍ଷ ମଧ୍ୟରେ ପବନର ଦିଗ କେଉଁ ଆଡ଼କୁ ରହିଛି ତାହା ପ୍ରଥମେ ପରୀକ୍ଷା କରାଯିବ ।
ସାଧାରଣତଃ ୩୦ରୁ ୪୦କିମି ଦୂରତା ମଧ୍ୟରେ ପବନର ଦିଗ ସମାନ ରହୁଥିଲେ ହେଁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବାରୁ ଆମେ ପବନର ଦିଗ ବଦଳିବାର ସମ୍ଭାବନାକୁ ଏଡ଼ାଇ ହେବନି । ଯେଉଁଠି ଜମି ଚିହ୍ନଟ ହେବ, ସେଠାରେ ଜମିର ଆକୃତି ଏବଂ ପାରିପାର୍ଶ୍ୱିକ ସ୍ଥିତି ରନେଓ୍ଵ ପାଇଁ ଉପଯୋଗୀ ଥିଲେ, ସେଠାରେ ବିମାନବନ୍ଦର ହେବ । ଏହି ରନେଓ୍ଵଟି ପବନର ଗତି ବହୁଥିବା ଦିଗରେ ହେବ । ଯେପରି ପବନ ଯଦି ଉତ୍ତର ଦିଗରୁ ବହୁଥିବ ତେବେ ବିମାନ ଉତ୍ତର ଦିଗକୁ ହିଁ ଉଡ଼ାଣ କରିବ । ରନେଓ୍ଵ ଉତ୍ତରମୁହାଁ ହେବ । ତେଣୁ ପବନ କେଉଁ ଦିଗକୁ ବହୁଛି ତାହାକୁ ସର୍ଭେ କରିବା ପରେ ରନେଓ୍ଵ କେତେ ଫୁଟର ହେବ, କିପରି ହେବ, ତାହା ସ୍ଥିର କରାଯିବ ବୋଲି ଶ୍ରୀ ହୋତା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/Air-Port.jpg)